ବରୀର ଐତିହାସିକ ବଳଦେବ ଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ
ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲା ବରୀ ବାଗଦା ସ୍ଥିତ ଐତିହାସିକ ବଳଦେବ ଜୀଉ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇ ଯାଇଛି । ଅପରାହ୍ନରେ ତିନି ଦିଅଁଙ୍କୁ ରତ୍ନ ସିଂହାସନରୁ ପହଣ୍ଡି କରାଯାଇ ସ୍ନାନ ବେଦୀକୁ ଆଣା ଯାଇଥିଲା । ନାମ ସଂକୀର୍ତ୍ତନ, ହରିବୋଲ, ହୁଳ ହୁଳି ଓ ଘଣ୍ଟ ନାଦ ମଧ୍ୟରେ ଠାକୁର ସେବକ ମାନେ ତିନି ଦିଅଁଙ୍କ ପହଣ୍ଡି କରିଥିଲେ । ପହଣ୍ଡି ସମୟରେ ମୁଖ୍ୟ ସେବକ ଡ଼ଃ ବିନୟ ଭାନୁ ଦାସ ପବିତ୍ର ଗଙ୍ଗା ଜଳ ଛିଞ୍ଚନ କରି ଛେରା ପହଁରା କରିଥିଲେ । ତିନି ଦିଅଁ ସ୍ନାନ ବେଦୀକୁ ଆସିବା ପରେ ମହାସ୍ନାନ କାର୍ଯ୍ୟ ସମ୍ପନ୍ନ କରା ଯାଇଥିଲା । ଏହା ପରେ ତିନି ଦିଅଁଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇ ବିଭିନ୍ନ ସୁବାସିତ ଫୁଲରେ ସଜା ଯାଇଥିଲା । ନୈବେଦ୍ୟ ଅର୍ପଣ ପରେ ସହିତ ଆଳତୀ କରାଯାଇଥିଲା । ମହାମନ୍ତ୍ର ସଂକୀର୍ତ୍ତନ ସହିତ ପଣ୍ଡିତଙ୍କ ମନ୍ତ୍ର ପାଠ ପରିସରକୁ ଆଧ୍ୟାତ୍ମିକ ପରିବେଶରେ ପରିଣତ କରିଥିଲା । ନିକଟସ୍ଥ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଦେବ ଦର୍ଶନ କରି ଆଶିର୍ବାଦ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜୟ ଭାନୁ ଦାସ, ଭାରତ ଭାନୁ ଦାସ, ବିରାଜ ଭାନୁ ଦାସ, ପ୍ରକାଶ ଭାନୁ ଦାସ, ବିଶ୍ଵଜିତ ମହାନ୍ତି, ମନୋଜ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଆନନ୍ଦ ବଜାରରେ ସମସ୍ତ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ ।
The post ବରୀର ଐତିହାସିକ ବଳଦେବ ଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ appeared first on orissaleads.
News