ନିଆରା ମଣିଷ ଡାକ୍ତର ନିହାର ରଞ୍ଜନ କର, ସେବା ସହିତ ସମାଜ ସେବାକୁ କରିଛନ୍ତି ବ୍ରତ
ଓଡ଼ିଶା ଲିଡ୍ସ(ବ୍ୟୁରୋ):ପେଶାରେ ସେ ଜଣେ ଡାକ୍ତର । ଡାକ୍ତର ନିହାର ରଞ୍ଜନ କର । ରୋଗୀ ସେବାକୁ ପ୍ରାଥମିକତା ଦେଉଥିଲା ବେଳେ ସମାଜ ସେବା ପ୍ରତି ରହିଛି ଗଭୀର ଆନ୍ତରିକତା । ନିଜର ନିଷ୍ଠାପର ସେବା ସହିତ ସମାଜ ସେବା ପାଇଁ ସେ ସମସ୍ତଙ୍କ ପ୍ରିୟ ହୋଇ ପାରିଛନ୍ତି । ସମାଜର ଦୁସ୍ଥ ,ଅବହେଳିତ କିଭଳି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନହେବେ ଏହା ତାଙ୍କ ମୂଳ ଲକ୍ଷ । ଯେ କୌଣସି ରୋଗୀ ଟିଏ ତାଙ୍କ ନିକଟକୁ ଆସିଲେ ରୋଗୀର ସାହାରା ସାଜିବା ଓ ରୋଗ ମୁକ୍ତ କରିବା ତାଙ୍କର ମୂଳ ଲକ୍ଷ୍ୟ । ବେଶ ଲୋକପ୍ରିୟ ହୋଇ ସାରିଥିବା ଏହି ଯୁବ ଡାକ୍ତର ବେଶ ସାଧା ସିଧା ଓ ସରଳ । ସମାଜର ପଛ ଧାଡିରେ ଥିବା ଅସହାୟ ଗରିବଙ୍କ ପାଇଁ ନିଜକୁ ସମର୍ପିତ କରିଥିବା ମଣିଷ ହେଉଛନ୍ତି କବାଟ ବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ନିହାର ରଞ୍ଜନ କର । ସକାଳୁ ରାତି ଯାଏ ଡାକ୍ତର କର ରୋଗୀଙ୍କ ପଛରେ ପଡିଥାନ୍ତି। ରୋଗୀ ସେବା ପାଇଁ ତାଙ୍କ ନିକଟରେ କୌଣସି ସମୟ ସାରଣୀ ନାହିଁ । ଯିଏ ଯେତେବେଳେ ଆସିଲା ତାର ତୁରନ୍ତ ଚିକିତ୍ସା କରିବା ସହିତ ଅଭାବ ଅସୁବିଧା ବୁଝି ସହାୟତା ପ୍ରଦାନ ତାଙ୍କ ଲକ୍ଷ । ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିବା ପର ଠାରୁ ନିଜ ବାସ ଭବନକୁ ଫେରିବାର କୌଣସି ସମୟ ନଥାଏ ତାଙ୍କ ପାଇଁ । ଯେ ପର୍ଯ୍ୟନ୍ତ ରୋଗୀଙ୍କ ଧାଡି ଲାଗିଥାଏ, ସେ ପର୍ଯ୍ୟନ୍ତ ସେ ଚିକିତ୍ସାଳୟରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥାଏ । ନିଜ ଡ୍ୟୁଟି ସମୟ ପରେ ବି ରୋଗୀଙ୍କୁ ଚିକିତ୍ସା କରାଇବା ଓ ଔଷଧ ପ୍ରଦାନ କରିବାରେ ଅବହେଳା କରନ୍ତି ନାହିଁ ଡାକ୍ତର କର । ନିକଟସ୍ଥ ଅଞ୍ଚଳରେ କୌଣସି ରୋଗୀ ବିଷୟରେ ଖବର ପାଇଲେ ଖରା, ବର୍ଷା, ଶୀତ କାକରକୁ ଖାତିର ନକରି ତା ନିକଟରେ ପହଞ୍ଚି ଚିକିତ୍ସା କରିବାର ନଜିର ବହୁତ ରହିଛି ।
ଏଭଳି ଜଣେ ନିଆରା ଡାକ୍ତର କେବଳ ଯାଜପୁର ଜିଲ୍ଲା ନୁହେଁ ବରଂ ରାଜ୍ୟରେ କମ ମିଳିବେ । ଖାଲି ରୋଗୀ ଚିକିତ୍ସାରେ ଅଟକି ଯାଇ ନାହାନ୍ତି ଡାକ୍ତର କର । ଆମ ସମାଜ ଏବଂ ଆମ ପରିବେଶ କିଭଳି ସୁସ୍ଥ ରହିବ ସେ ଦିଗରେ ବେଶ ଯତ୍ନବାନ ମଧ୍ୟ । ବିଭିନ୍ନ ସମୟରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର ଏବଂ ବୃକ୍ଷ ରୋପଣ ଭଳି କାର୍ଯ୍ୟକ୍ରମ ଆୟୋଜନ କରି ସେ ସମସ୍ତଙ୍କ ପ୍ରିୟ ହୋଇ ପାରିଛନ୍ତି । ଡାକ୍ତର କରଙ୍କ ଏହି ନିଆରା ପଣ ତାଙ୍କୁ ସମସ୍ତଙ୍କ ପ୍ରିୟ କରି ପାରିଛି । ସମସ୍ତଙ୍କ ମୁହଁରେ ଆଜି ତାଙ୍କ ପ୍ରଶଂସା ଶୁଣିବାକୁ ମିଳୁଛି ।
The post ନିଆରା ମଣିଷ ଡାକ୍ତର ନିହାର ରଞ୍ଜନ କର, ସେବା ସହିତ ସମାଜ ସେବାକୁ କରିଛନ୍ତି ବ୍ରତ appeared first on orissaleads.
News