ସବୁ ଚର୍ଚ୍ଚାର ଅବସାନ, ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ଭାବେ ପୁନର୍ବାର ନିର୍ବାଚିତ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଶାସକ ଦଳ ବିଜେପି ରାଜ୍ୟ ସଭାପତି ନିର୍ବାଚନକୁ ନେଇ ବେଶ କିଛିଦିନ ହେଲା ରାଜ୍ୟରେ ଚାଲିଥିବା ଚର୍ଚ୍ଚାର ପରିସମାପ୍ତି ଘଟିଛି । ଆଜି ସଭାପତି ପଦବୀ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଦିନ ଧାର୍ଯ୍ୟ ହୋଇଥିଲା । ଧାର୍ଯ୍ୟ ସମୟ ମଧ୍ୟରେ କେବଳ ମନମୋହନ ସାମଲ ହିଁ ସଭାପତି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଫଳରେ ଶ୍ରୀ ସାମଲ ନିର୍ଦ୍ବନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଖବର ପ୍ରକାଶ ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

୧୯୯୯ ମସିହାରେ ସେ ପ୍ରଥମ ଥର ରାଜ୍ୟ ବିଜେପି ସଭାପତି ହୋଇଥିଲେ । ଏହା ପରବର୍ଷ ବିଜେଡି ସହିତ ବିଜେପିର ଗଠ ବନ୍ଧନ ହୋଇଥିଲା । ବିଜେପି ଓ ବିଜେଡି ମିଳିତ ସରକାର ଗଠନ କରିଥିଲେ । ଏବେ ବିଜେପି ରାଜ୍ୟରେ ଏକକ ସରକାର ଗଠନ କରିଥିଲା ବେଳେ ସରକାର ଗଠନରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ବିଜେଡି ସହିତ ମେଣ୍ଟକୁ ସେ ରୋକଠୋକ ଭାବେ ପ୍ରତ୍ୟଖ୍ୟାନ କରିଥିଲେ । ଜଣେ ଅନୁଭବୀ ନେତା ଭାବେ ବିଜେଡି ସରକାର ପତନ ପଛରେ ରହିଥିଲା ତାଙ୍କ ମାଷ୍ଟର ଷ୍ଟ୍ରୋକ ।

ରାଜ୍ୟରେ ବିଜେପିକୁ କ୍ଷମତାକୁ ଫେରାଇ ଆଣିଥିଲେ ୬୬ ବର୍ଷୀୟ ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ରାଜନେତା ମନମୋହନ ସାମଲ । ତାଙ୍କ ନେତୃତ୍ୱରେ ଲଢ଼ି ଦଳ ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରିଥିଲା । ଉଚ୍ଚ ଶିକ୍ଷିତ ମନମୋହନଙ୍କର ରାଜନୀତିରେ ଦୀର୍ଘ ଅଭିଜ୍ଞତା ରହିଛି। ଭଦ୍ରକ ଜିଲ୍ଲାରେ ୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିଲେ ମନମୋହନ ସାମଲ । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ୧୯୭୯ ମସିହାରେ ଭଦ୍ରକ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ କାର୍ଯ୍ୟକର୍ତ୍ତା ଭାବେ କାମ କରୁଥିବା ବେଳେ ପ୍ରତ୍ୟେକ୍ଷ ରାଜନୀତି ଆଡକୁ ଆକର୍ଷିତ ହୋଇଥିଲେ । ପରେ ବିଜେପି ଦଳରେ ଯୋଗ ଦେଇଥିଲେ ।

ମନମୋହନ ରାଜ୍ୟ ବିଜେପିର ବିଭିନ୍ନ ପଦପଦବୀରେ ସଫଳତାର ସହିତ କାର୍ଯ୍ୟ କରି କେନ୍ଦ୍ରୀୟ ନେତାଙ୍କ ପ୍ରିୟ ହୋଇଥିଲେ । ୧୯୯୯ ମସିହାରେ ସେ ରାଜ୍ୟ ବିଜେପିର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ମନମୋହନ ସାମଲ ୨୦୦୦ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ସେ ଧାମନଗର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେପି-ବିଜେଡି ମେଣ୍ଟ ସରକାରରେ ରାଜସ୍ୱ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୦୮ ପର୍ଯ୍ୟନ୍ତ ସେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ୨୦୨୨ ଧାମନଗର ଉପନିର୍ବାଚନରେ ମନମୋହନ ନିର୍ବାଚନ ପରିଚାଳନାର ଦାୟିତ୍ୱ ନେଇ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିପୁଳ ଭୋଟରେ ବିଜୟୀ କରାଇଥିଲେ । ଶାସକ ବିଜେଡି ମନମୋହନଙ୍କ ଗୋଟି ଚାଳନାରେ ପରାଜିତ ହୋଇଥିଲା । ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ୨୦୨୩ ମାର୍ଚ୍ଚରେ ମନମୋହନଙ୍କୁ ସଭାପତି କରି ଦଳ ତାଙ୍କ ଉପରେ ନିର୍ବାଚନ ଦାୟିତ୍ୱ ଅର୍ପଣ କରିଥିଲା । ସଭାପତି ନିର୍ବାଚନ ପରେ ମନମୋହନ ବିଜେଡି ସରକାର ବିରୁଦ୍ଧରେ ରଣହୁଙ୍କାର ଦେଇଥିଲେ । ବିଜେପି ଜିତିବ ଓ ରାଜ୍ୟରେ ସରକାର କରିବ ବୋଲି ବାରମ୍ବାର କହି ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ନୂଆ ଜୋଶ ଭରିବାକୁ ସକ୍ଷମ ହୋଇଥିଲେ ମନମୋହନ । ଦଳୀୟ ବିଜୟକୁ ଗୁରୁତ୍ୱ ଦେଇ ନିଜେ ପରାଜିତ ହୋଇଥିଲେ ମଧ୍ୟ ବିଜେପି ରାଜ୍ୟରେ କ୍ଷମତାକୁ ଆସିବାରେ ତାଙ୍କର ପ୍ରମୁଖ ଭୂମିକାକୁ ଦଳୀୟ ନେତା ସ୍ୱୀକାର କରନ୍ତି । କେବଳ ଉପକୂଳ ଓଡିଶା ନୁହେଁ ରାଜ୍ୟର ଜଣେ ଚର୍ଚ୍ଚିତ ରାଜନେତା ଭାବେ ମନମୋହନ ସାମଲ ବେଶ ପ୍ରଭାବଶାଳୀ ଓ ଲୋକପ୍ରିୟ । ଆଗକୁ ଦଳ ଓ ସରକାରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ଏହା ନିଶ୍ଚିତ ।

The post ସବୁ ଚର୍ଚ୍ଚାର ଅବସାନ, ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ଭାବେ ପୁନର୍ବାର ନିର୍ବାଚିତ appeared first on orissaleads.

News