ସାମାଜିକ କର୍ମୀ ବିଶ୍ୱନାଥ ପାତ୍ରଙ୍କ ନାମରେ ସଙ୍ଗିନ ଅଭିଯୋଗ, ଦ୍ଵିତୀୟ ବିବାହ ସହିତ ଝିଅକୁ ନିର୍ଯ୍ୟାତନା, ସୁକିନ୍ଦା ଥାନାରେ ଅଭିଯୋଗ କଲେ ପ୍ରଥମ ପତ୍ନୀ
ଓଡ଼ିଶା ଲିଡ୍ସ(ଯାଜପୁର): ନିଜକୁ ସାମାଜିକ କର୍ମୀ ଓ ସାମ୍ବାଦିକ କହି ସାମାଜିକ ଗଣ ମାଧ୍ୟମରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଧମକ ଚମକ ଦେଉଥିବା ବିଶ୍ଵନାଥ ପାତ୍ରଙ୍କ ବିରୁଦ୍ଧରେ ତାଙ୍କ ପ୍ରଥମ ପତ୍ନୀ ସୁକିନ୍ଦା ଠାନାରେ ଲିଖିତ ଅଭିଯୋଗ କରିଛନ୍ତି । ନିଜ ଅଭିଯୋଗରେ ବିଶ୍ଵନାଥ ଦ୍ଵିତୀୟ ବିବାହ କରିବା ସହିତ ତାଙ୍କ ଝିଅକୁ ନିର୍ଯ୍ୟାତନା ଦେଉଥିବା, ବନ୍ଧୁକ ଦେଖାଇ ଧମକ ଦେଉଥିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି । ତାଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପ୍ରଥମ ପତ୍ନୀ ସୋନିଆ ପାତ୍ର। ସୁକିନ୍ଦା ଥାନା ଅନ୍ତର୍ଗତ ମୂଳଖମ୍ବ ଗ୍ରାମରେ ସୋନିଆ ପାତ୍ରଙ୍କ ଘର ।
ତାଙ୍କ ଲିଖିତ ଅଭିଯୋଗ ମୁତାବକ ୯ ତାରିଖ ରାତି ପ୍ରାୟ ୧ଟା ୪୫ ମିନିଟ ସମୟରେ ନିଜର ଦୁଇ ଛୁଆଙ୍କୁ ଧରି ସେ ସୋଇଥିବା ସମୟରେ କିଏ କବାଟ ବାଡେଇଥିଲେ । ସେ କବାଟ ଖୋଲିବାରୁ ବିଶ୍ୱନାଥ ଘର ଭିତରେ ପଶି ସୋନିଆଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ, ତାଙ୍କୁ ମାଡିବସି ତଣ୍ଟି ଚିପି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ବହୁ କଷ୍ଟରେ ସେ ତାଙ୍କ କବଳରୁ ଖସି ଆସି ଚିତ୍କାର କରିବାରୁ ପରିବାର ଲୋକ ଠେଙ୍ଗା ବାଡ଼ି ଧରି ପହଞ୍ଚିଥିଲେ । ଏହି ସମୟରେ ବିଶ୍ଵନାଥ ମଟର ସାଇକେଲ ଯୋଗେ ସେଠାରୁ ଫେରାର ହୋଇ ଯାଇଥିଲେ । ସେ ଗଲା ବେଳେ ଘରେ ସୋନିଆ ରଖିଥିବା ୪ ହଜାର ୩୦୦ ଟଙ୍କା ମଧ୍ୟ ନେଇ ଯାଇଥିବା ଅଭିଯୋଗ କରିଛନ୍ତି ସୋନିଆ ।
ଅଭିଯୋଗ ଅନୁଯାୟୀ ବିଶ୍ୱନାଥ ତାଙ୍କ ପ୍ରଥମ ପତ୍ନୀ ସୋନିଆଙ୍କୁ ନାବାଳିକା ବୟସରେ ଉଠାଇ ନେଇ ଭୟ ଦେଖାଇ ଜୋର୍ ଜବରଦସ୍ତ ଶାରୀରିକ ସଂପର୍କ ରଖିଥିଲେ । ଏହା ପରେ ଧମକ ଦେଇ ଏକ ନୋଟାରୀ ରାଜିନାମା ଦ୍ୱାରା ବିବାହ କରିଥିଲେ । ସୋନିଆ ତିନୋଟି ପିଲାର ମା ହୋଇ ସାରିଥିଲା ବେଳେ ବହୁ ସମୟରେ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହିତ ଯୌତୁକ ନିର୍ଯାତନା ମଧ୍ୟ ଦେଉଥିଲେ ବିଶ୍ଵନାଥ । ପରେ ସୋନିଆ ନିକଟରୁ ଦୁରେଇ ଯାଇ ଅନ୍ୟ ଏକ ଝିଅକୁ ବିବାହ କରି ଯାଜପୁର ରୋଡ଼ ଅଞ୍ଚଳରେ ବିଶ୍ଵନାଥ ରହୁଥିବା କହିଛନ୍ତି ସୋନିଆ ।
ସେ ଦୁଃଖ ଧନ୍ଦା କରି ୩ ଛୁଆକୁ ନେଇ ଜୀବନ ଯାପନ କରୁଥିଲା ବେଳେ ବଡ଼ ଝିଅକୁ ବିଶ୍ଵନାଥ ନିଜ ପାଖରେ ରଖି ଘର କାମ କରାଉଥିବା ଅଭିଯୋଗ କରିଛନ୍ତି ସୋନିଆ । ନିଜ ବଡ଼ ଝିଅକୁ ବିଶ୍ଵନାଥ ପାଖରୁ ନିଜ ପାଖକୁ ଆଣିବାର ବହୁବାର ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ସୋନିଆ ।
ବିଶ୍ଵନାଥ ପାତ୍ର ନିଜେ କେତେବେଳେ ସାମ୍ବାଦିକ ତ କେତେବେଳେ ଦଳିତ ନେତା, କେତେବେଳେ ମାନବ ଅଧିକାର କର୍ମୀ, ତ କେତେବେଳେ ସିଭିଲ ସୋସାଇଟୀ ସମ୍ପାଦକ ଭାବରେ ଲୋକଙ୍କୁ ଭୁଆଁ ବୁଲେଇ ଚାଲିଛନ୍ତି ବୋଲି ତାଙ୍କ ପ୍ରଥମ ପତ୍ନୀ ସୋନିଆ ଅଭିଯୋଗ କରିଛନ୍ତି । ପୋଲିସ ଏହାର ତଦନ୍ତ କରି ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି ।
The post ସାମାଜିକ କର୍ମୀ ବିଶ୍ୱନାଥ ପାତ୍ରଙ୍କ ନାମରେ ସଙ୍ଗିନ ଅଭିଯୋଗ, ଦ୍ଵିତୀୟ ବିବାହ ସହିତ ଝିଅକୁ ନିର୍ଯ୍ୟାତନା, ସୁକିନ୍ଦା ଥାନାରେ ଅଭିଯୋଗ କଲେ ପ୍ରଥମ ପତ୍ନୀ appeared first on orissaleads.
News