ଟିମ ‘ଆଟା’ ଯାଜପୁର ଶାଖା ପକ୍ଷରୁ ମହାବିନାୟକ ପୀଠରେ ବିକ୍ଷୋଭ, x(ଏକ୍ସ)କୁ ଗୁରୁତ୍ୱ ଦେବାକୁ ଦାବି
ଓଡ଼ିଶା ଲିଡ୍ସ(ଯାଜପୁର): ବିଜ୍ଞାନ ଅଗ୍ରଗତି କରିଛି । ଡିଜିଟାଲ୍ ଯୁଗରେ ସୋସିଆଲ ମିଡ଼ିଆର ଗୁରୁତ୍ୱ ବେଶ ବୃଦ୍ଧି ପାଇଛି । ସରକାର ମଧ୍ୟ ସାମାଜିକ ଗଣ ମାଧ୍ୟମକୁ ବ୍ୟାପକ ଗୁରୁତ୍ୱ ଦେଉଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟକୁ ସାମାଜିକ ଗଣ ମାଧ୍ୟମ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚା ଯାଉଛି । ଅତି କମ୍ ସମୟରେ ସର୍ବାଧିକ ଜନ ସାଧାରଣଙ୍କ ନିକଟରେ ଏହା ପହଞ୍ଚି ପାରୁଛି । ସାମାଜିକ ଗଣ ମଧ୍ୟମ ମଧ୍ୟରୁ ଟ୍ୱିଟର ଅନ୍ୟତମ ଲୋକପ୍ରିୟ ମାଧ୍ୟମ । ଏବେ ଏହାର ନାମ ବଦଳି x ‘ଏକ୍ସ’ ହୋଇଛି। ଏବେ ଏହା ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ।
ରାଜ୍ୟ ସରକାର, କେନ୍ଦ୍ର ସରକାର, ସରକାରଙ୍କ ବିଭିନ୍ନ ବିଭାଗ, ବିଭାଗୀୟ ଅଧିକାରୀ ,ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ, ସାମ୍ବାଦିକ ଏବଂ ଜନସାଧାରଣ ଏହାକୁ ବ୍ୟବହାର କରିଥାନ୍ତି। ଯେକୌଣସି ଉଚ୍ଚ ପଦସ୍ଥ ଅଧିକାରୀ କିମ୍ବା ବ୍ୟକ୍ତି ବିଶେଷ ଏକ୍ସ ମଧ୍ୟମରେ କିଛି ପୋଷ୍ଟ କଲେ ତାହା ରାଜ୍ୟ ତଥା ଦେଶର ପ୍ରମୁଖ ଖବର ହୋଇଯାଏ। ତାହା ଗଣମାଧ୍ୟମର ମୁଖ୍ୟ ଖବର ଭାବେ ସ୍ଥାନିତ ପାଇଥାଏ । ନିକଟରେ ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ୱୟଂ ଶାସିତ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି ମଧ୍ୟ ଟ୍ୱିଟର ମାଧ୍ୟମରେ ରାଜ୍ୟ ସରକାର, ଉଚ୍ଚଶିକ୍ଷା ବିଭାଗ, କେନ୍ଦ୍ର ଉଚ୍ଚ ଶିକ୍ଷା ବିଭାଗ, ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରମୁଖଙ୍କୁ ଟ୍ୱିଟ୍ କରି ତାଙ୍କ ସମସ୍ୟା ବିଷୟରେ ଜଣାଇ ସମାଧାନ ପାଇଁ ନିବେଦନ କରିଥିଲେ । ହେଲେ ବିଡ଼ମ୍ବନାର ବିଷୟ ତାଙ୍କ ଟ୍ୱିଟକୁ ଗୁରୁତ୍ୱ ଦିଆଯାଇ ନଥିଲା । ଫଳରେ ନିରାଶ ହୋଇ ସେ ଆତ୍ମହତ୍ୟା କରିଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିବାର ଏକ ମାତ୍ର କାରଣ ଏକ୍ସ୍ କୁ ପ୍ରାଧାନ୍ୟ ଦିଆ ନଯିବା। ବିଗତ ଦିନ ମାନଙ୍କରେ ଏହି ଏକ୍ସ୍ ଜରିଆରେ ଅନେକ ଅଭିଯୋଗ ସରକାର ଓ ବିଭାଗୀୟ ଅଧିକାରୀ ଶୁଣୁଥିଲେ ଓ ଅଭିଯୋଗର ତୁରନ୍ତ ସମାଧାନ କରୁଥିଲେ, କିନ୍ତୁ ଏବେ ଏହାକୁ ଅଣଦେଖା କରାଯାଉଛି। ତେଣୁ ଏହାକୁ ଅଗ୍ରାଧିକାର ଦିଆଯିବା ଦାବିରେ ରାଜ୍ୟ ସ୍ତରୀୟ ସଂଗଠନ “ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟି” (ଆଟା)ର ଯାଜପୁର ଜିଲ୍ଲାଶାଖା ପକ୍ଷରୁ ଜିଲ୍ଲା ସଂଯୋଜକ ସବ୍ୟସାଚୀ ସାହୁ ଓ ଜିଲ୍ଲା ଟ୍ୱିଟର ବଏ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଆଜି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ମହାବିନାୟକ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସରକାର ଏହାକୁ ଗୁରୁତ୍ୱ ଦେବାକୁ ସେମାନେ ଦାବି କରିଥିଲେ । ଟ୍ୱିଟରକୁ ନେଇ ମାସକୁ ଥରେ ଲୋକସଭା ଭବନରେ ସମୀକ୍ଷା ବୈଠକ କରିବା ସହିତ ଦାବିକୁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଦାବି ହୋଇଛି ।
The post ଟିମ ‘ଆଟା’ ଯାଜପୁର ଶାଖା ପକ୍ଷରୁ ମହାବିନାୟକ ପୀଠରେ ବିକ୍ଷୋଭ, x(ଏକ୍ସ)କୁ ଗୁରୁତ୍ୱ ଦେବାକୁ ଦାବି appeared first on orissaleads.
News