ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ବିଜେଡିର କାଉଣ୍ଟର ଆଟାକ, ନିଜ ଅପାରଗତା ଘୋଡାଇବାକୁ ମିଛର ସାହାରା ନେଉଛି ବିଜେପି

ଓଡ଼ିଶା ଲିଡ୍ସ(ଯାଜପୁର): ଗତକାଲି ସୁକିନ୍ଦାରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସୁକିନ୍ଦା ବିକାଶରେ ପ୍ରତିବନ୍ଧକ ସାଜିଥିବା ଆରୋପ ଲଗାଇଥିଲା । ବିଜେପି ଦୋଷ ଲଦିବାର ଗୋଟିଏ ଦିନ ପରେ ବିଜେଡି ବିଜେପିକୁ ଜୋରଦାର କାଉଣ୍ଟର ଆଟାକ କରିଛି । ବିଜେଡି ତଥ୍ୟ ପ୍ରମାଣ ସହିତ ବିଜେପିକୁ ଜବାବ ଦେଇ ନିଜ ଅପାରଗତା ଲୁଚାଇବାକୁ ବିଜେପି ମିଛର ସହାରା ନେଉଥିବା କହିଛି । ବିଜେଡି କହିଛି ବିଜେପି ଅଭିଯୋଗ କରିଥିଲା ସୁକିନ୍ଦା ବ୍ଲକର ୧୩୨ଟି ଏବଂ ଦାନଗଦୀ ବ୍ଲକର ୧୪୦ଟି ଉଚ୍ଚପ୍ରାଥମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟରେ ବିଜୁ ଜନତା ଦଳ ଅନ୍ତରାୟ ସୃଷ୍ଟି କରୁଛି । କିନ୍ତୁ ସୁକିନ୍ଦା ବିଜୁ ଜନତା ଦଳ ପ୍ରଶ୍ନ କରୁଛି ଏହି ଯେଉଁ ବିଦ୍ୟାଳୟ ଗୁଡିକର ନିର୍ମାଣ ପାଇଁ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି ବା ଡି.ଏମ.ଏଫରୁ ଯେଉଁ ଅର୍ଥ ମଂଜୁର ହୋଇଥିଲା ତାହା କେଉଁ ସରକାର ସମୟରେ ହୋଇଥିଲା ଏବଂ ଡି.ଏମ୍.ଏଫ ବୈଠକରେ ସେ ସବୁକୁ ମଂଜୁର କରିବା ପାଇଁ କିଏ ଉଦ୍ୟମ କରିଥିଲେ ?

ଆପଣମାନଙ୍କ ଅବଗତି ପାଇଁ ଜଣାଇ ଦେବାକୁ ଚାହୁଁ ଯେ, ଜିଲ୍ଲାପାଳ ତଥା ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିର ମୁଖ୍ୟ ନିଜ ପତ୍ର ସଂଖ୍ୟା- ୪୯୪, ତାରିଖ ୧୧.୮.୨୦୨୩ ରେ ସୁକିନ୍ଦା ଏବଂ ଦାନଗଦୀ ବ୍ଲକର ୧୩୨ଟି ପ୍ରାଥମିକ ବିଦ୍ୟାଳୟର ପୁନଃରୁଦ୍ଧାର ପାଇଁ ୧୩ କୋଟି ୨୦ ଲକ୍ଷ ଟଙ୍କା, ପତ୍ର ସଂଖ୍ୟା-୬୮୯ ତାରିଖ ୨୧.୧୧.୨୦୨୩ରେ ସୁକିନ୍ଦା ଏବଂ ଦାନଗଦୀ ବ୍ଲକର ୧୩୨ଟି ପ୍ରାଥମିକ ବିଦ୍ୟାଳୟର ଆକ୍ଟିଭିଟି ରୁମ୍ ନିର୍ମାଣ ପାଇଁ ୧୩ କୋଟି ୨୦ ଲକ୍ଷ ଟଙ୍କା, ପତ୍ର ସଂଖ୍ୟା-୭୨୮ ତାରିଖ ୧୪.୧୨.୨୦୨୩ରେ ସୁକିନ୍ଦା ଏବଂ ଦାନଗଦୀ ବ୍ଲକର ୯୯ଟି ବିଦ୍ୟାଳୟର ଲାଇବ୍ରେରୀ ରୁମ୍ ନିର୍ମାଣ ପାଇଁ ୯ କୋଟି ୯୦ ଲକ୍ଷ ଟଙ୍କା, ପତ୍ର ସଂଖ୍ୟା-୧୦୨ ତାରିଖ ୨୪.୦୧.୨୦୨୪ରେ ସୁକିନ୍ଦା ଏବଂ ଦାନଗଦୀ ବ୍ଲକର ୧୩୧ଟି ବିଦ୍ୟାଳୟର ପାଇଖାନା ଗୃହ ନିର୍ମାଣ ପାଇଁ ୯ କୋଟି ୮୨ ଲକ୍ଷ ୫୦ ହଜାର ଟଙ୍କା ଏବଂ ପତ୍ର ସଂଖ୍ୟା-୧୦୩ ତାରିଖ ୨୪.୧.୨୦୨୪ ଦିନ ସୁକିନ୍ଦା ଏବଂ ଦାନଗଦୀ ବ୍ଲକର ୧୩୧ଟି ବିଦ୍ୟାଳୟର ଆଡିସିନାଲ କ୍ଲାସ ରୁମ ନିର୍ମାଣ ପାଇଁ ୧୩ କୋଟି ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଏହିପରି ସର୍ବମୋଟ ୫୯ କୋଟି ୨୨ ଲକ୍ଷ ୫୦ ହଜାର ଟଙ୍କା ବିଜୁ ଜନତା ଦଳ ସରକାର ସମୟରେ ମଂଜୁର ହୋଇଥିଲା ଏବଂ ତତ୍କାଳୀନ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଉଦ୍ୟମ କ୍ରମେ ଏହି ବିଦ୍ୟାଳୟର କାର୍ଯ୍ୟ ସବୁ ମଂଜୁର ହୋଇଥିଲା ।

ନିର୍ବାଚନ ଆଚରଣ ବିଧି ଲାଗୁ ହେବାରୁ ତାହାର କାମ ଆରମ୍ଭ ହୋଇ ପାରିନଥିଲା । ରାଜ୍ୟରେ ନୂଆ ସରକାର ଆସିଲା । ତେଣୁ ଏ ସବୁ ପ୍ରକଳ୍ପ ନିର୍ମାଣ କରିବାର ଦାୟିତ୍ଵ ନୂଆ ସରକାରଙ୍କର । ମାତ୍ର ଯେଉଁମାନେ ଅପାରଗ, ଅପଦାର୍ଥ ସେମାନେ ନିଜ ଦାୟିତ୍ଵକୁ ଠିକ୍ ଭାବରେ ତୁଲାଇ ନପାରି ଅନ୍ୟ ଉପରେ ଦୋଷ ଦିଅନ୍ତି । ଯାହା ସୁକିନ୍ଦା ବିଜେପି କରୁଛି । ବିଜୁ ଜନତା ଦଳ ସରକାର ସମୟରେ ମଧ୍ୟ ଏମିତି ଜଙ୍ଗଲ କିସମ ଜମିରେ ଶହ ଶହ ପ୍ରକଳ୍ପକୁ ସରକାର ଆଇନଗତ ଉପାୟରେ ପାସ୍‌ କରାଇ କାର୍ଯ୍ୟକାରୀ କରିଛନ୍ତି । ଯାହା ସୁକିନ୍ଦା ବିକାଶର ମାଇଲ ଖୁଣ୍ଟ ହୋଇଛି । ତେଣୁ ସେମିତି ଏବେ ଏହି ପ୍ରକଳ୍ପ ଗୁଡିକୁ ଆଇନଗତ ଉପାୟ ଅବଲମ୍ବନ କରି କାର୍ଯ୍ୟକାରୀ କରିବା ଦାୟିତ୍ଵ ବିଜେପି ସରକାରର । ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ଡବଲ ଇଂଜିନ ସରକାରରେ ଚାଲିଛି । ତେଣୁ ଏସବୁକୁ ଆଇନଗତ ଉପାୟରେ କାର୍ଯ୍ୟ କରିଥିଲେ ଜାତୀୟ ଗ୍ରିନ୍ ଟ୍ରିବୁନାଲରେ ଏ ନେଇ କେହି ପ୍ରଶ୍ନ ଉଠାଇ ପାରିଥାନ୍ତେ କି ? କାହିଁ ବିଜେଡି ସରକାର ସମୟରେ ତ କୌଣସି ପ୍ରକଳ୍ପକୁ ନେଇ ଜାତୀୟ ଗ୍ରିନ୍ ଟ୍ରିବୁନାଲ ପ୍ରଶ୍ନ ଉଠାଇ ନଥିଲେ ? କାରଣ ସେ ସମୟରେ ସବୁ କାର୍ଯ୍ୟ ଆଇନ ଅନୁଯାୟୀ ହେଉଥିଲା ।

ବିଜେପିକୁ ଆଇନ ମାଲୁମ ନଥିଲା ବେଳେ ଏମାନେ ଆଇନକୁ ମାନନ୍ତି ନାହିଁ । ବିଜେପିର ନୀତି ଓ ଆଦର୍ଶ ହେଲା ଆମେ କ୍ଷମତାରେ ଅଛୁ ମାନେ ଯାହା ଚାହିଁବୁ ଅଫିସରଙ୍କୁ ଡରାଇ ଧମକାଇ ତାହା କରିବୁ ।

ଗତ ଏକ ବର୍ଷ ଭିତରେ ସୁକିନ୍ଦାରେ ବିଜେପି କେବଳ ରଙ୍ଗ ମାରିବା, ନାଁ ବଦଳାଇବା, ପୂର୍ବ ସରକାରଙ୍କ ସମୟରେ ନିର୍ମିତ ପ୍ରକଳ୍ପକୁ ଉଦ୍ଘାଟନ କରିବା ବ୍ୟତିତ କୌଣସି ନୂଆ ପ୍ରକଳ୍ପ ଆରମ୍ଭ କରିଛନ୍ତି କି ବୋଲି ପ୍ରଶ୍ନ କରିଛି ବିଜେଡି ।ଯାହାକୁ ବିଜୁ କନତା ଦଳ ସରକାର ମଂଜୁର କରିଥିଲା ତାକୁ ବି ଠିକ୍ ଭାବରେ କାର୍ଯ୍ୟକାରୀ କରିବାରେ ଅକ୍ଷମ ହୋଇଛି ବିଜେପି । ଏଥିରୁ ବିଜେପିର ଅପାରଗତା ଆପେ ଆପେ ଧରା ପଢି ଯାଉଛି । ବିଜୁ ଜନତା ଦଳ ହେଉ ଅବା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ହେଉଛନ୍ତି ବିକାଶର ବର୍ତ୍ତାବହ । ସେମାନେ ସୁକିନ୍ଦାର କୌଣସି ବିକାଶ ମୂଳକ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରନ୍ତି ନାହିଁ । ଆଇନର ଉର୍ଦ୍ଧ୍ଵରେ କେହି ନୁହେଁ । ତେଣୁ ଆଇନ, କାନୁନକୁ ମାନି ସରକାରୀ ଦଳକୁ କାମ କରିବାକୁ ପଡିବ । ଏକ ବର୍ଷ ମଧ୍ୟରେ ଲୋକଙ୍କ ନିକଟରେ ନିନ୍ଦିତ ହୋଇ ନିଜକୁ ବଞ୍ଚାଇବାକୁ ହୀନ ଉଦ୍ୟମ କରୁଥିବା ବିଜେପି ଏଥିରୁ କ୍ଷାନ୍ତ ରହୁ ବୋଲି ବିଜେଡି କହିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଦାନଗଦି ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସ, ଦାନଗଦି ବ୍ଲକ ବିଜେଡି ସଭାପତି ସୁରେଶ କୁମାର ଦାସ, ବରିଷ୍ଠ ନେତା ଲୋକନାଥ ଧୀର, ପ୍ରଦୀପ କୁମାର ମହାନ୍ତି, ସରପଞ୍ଚ ସ୍ୱାଧୀନ ଦାସ, ବିଜେଡି ନିର୍ବାଚନ ମଣ୍ଡଳୀ ପ୍ରବକ୍ତା ଦେବୀ ପ୍ରସାଦ ମହାନ୍ତିଙ୍କ ସମେତ ନିର୍ବାଚନ ମଣ୍ଡଳୀର ଅନ୍ୟ ବହୁ ଲୋକ ପ୍ରତିନିଧି ଯୋଗଦେଇଥିଲେ ।

The post ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ବିଜେଡିର କାଉଣ୍ଟର ଆଟାକ, ନିଜ ଅପାରଗତା ଘୋଡାଇବାକୁ ମିଛର ସାହାରା ନେଉଛି ବିଜେପି appeared first on orissaleads.

News