ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ, ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଓଡ଼ିଶା ଲିଡ୍ସ (ବ୍ୟୁରୋ): ସଙ୍ଗଠିତ ହେଉଥିବା କଂଗ୍ରେସକୁ ଲାଗିଛି ବଡ଼ ଝଟକା । ମୃଦୁ ପାନୀୟରେ ନିଶା ଦେଇ ହୋଟେଲ୍‌ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ନେଇ ଛାତ୍ର କଂଗ୍ରେସ ସଭାପତିଙ୍କ ନାମରେ ଅଭିଯୋଗ ହେଲା ପରେ ପୋଲିସ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଛି । ମଞ୍ଚେଶ୍ବର ଥାନା ପୋଲିସ ତାଙ୍କୁ ଅଟକ ରଖିଥିଲା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟ ପକ୍ଷରେ କଂଗ୍ରେସ ପକ୍ଷରୁ ଆଜି ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୮ତାରିଖ ଅପରାହ୍ନରେ ସେ ଓ ତାଙ୍କର ଜଣେ ବାନ୍ଧବୀ ଓ ଜଣେ ସହପାଠୀ ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ବୁଲିବାକୁ ଯାଇଥିଲେ। ସେଠାରେ ସହପାଠୀ ଜଣକ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ। ଏହାପରେ ଉଦିତଙ୍କ ଗାଡ଼ିରେ ସେମାନେ ନୂଆପଲ୍ଲୀ ସ୍ଥିତ ଏକ ହୋଟେଲକୁ ଯାଇଥିଲେ।ହୋଟେଲ୍‌ରେ ସେମାନେ ମଦ ପିଇଥିଲେ। ପୀଡ଼ିତା ଜଣକ ମଦ ପିଇବାକୁ ମନା କରିଥିଲେ। ତେଣୁ ଉଦିତ ତାଙ୍କୁ ମୃଦୁପାନୀୟ ପିଇବାକୁ କହିଥିଲେ। ମୃଦୁ ପାନୀୟ ପିଇବାର କିଛି ସମୟ ପରେ ତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ତେଣୁ ତୁରନ୍ତ ଘରେ ଛାଡ଼ିଦେବାକୁ ସେ କହିଥିଲେ। ମାତ୍ର ଉଦିତ ଓ ଅନ୍ୟମାନେ ତାଙ୍କୁ ଯିବାକୁ ଦେଇ ନଥିଲେ। ଏହାପରେ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ହୋସ ଫେରିବା ବେଳକୁ ସେ ଉଦିତ ତାଙ୍କ ସହିତ ଦୁଷ୍କର୍ମ କରିଥିବା ଜାଣି ପାରିଥିଲେ । ଏନେଇ ସେ ଉଦିତଙ୍କୁ ପଚାରିବାରୁ ସେ ତାଙ୍କୁ ଧମକ ଦେଇଥିଲେ।

ଅଭିଯୋଗ କଲେ, ତାଙ୍କୁ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ଧମକ ଦେଇଥିଲେ । ଉଦିତ ଜଣେ ଛାତ୍ରନେତା ହୋଇଥିବାରୁ ପୀଡ଼ିତା ଡରିଯାଇଥିଲେ ଏବଂ ନିରବ ରହିବାକୁ ବାଧ୍ୟ ହୋଇଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି। ଦୁଷ୍କର୍ମ ଅଭିଯୋଗ ପରେ ମଞ୍ଚେଶ୍ବର ଥାନା ପୁଲିସ ଉଦିତଙ୍କୁ ରାତି‌ରେ ଉଠାଇ ନେଇଛି। ଏହି ଖବର ପାଇ ଉଦିତଙ୍କ ପରିବାର ଲୋକେ ଏବଂ ଛାତ୍ର କଂଗ୍ରେସର ପ୍ରାୟ ୫୦ଜଣ ଛାତ୍ର ନେତା ମଞ୍ଚେଶ୍ବର ଥାନା ସମ୍ମୁଖରେ ଏକାଠି ହୋଇଛନ୍ତି।

The post ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ, ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ appeared first on orissaleads.

News