ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୮ କାଉଡିଆ ମୃତ, ଅନେକ ଗୁରୁତର

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଝାଡ଼ଖଣ୍ଡର ଦେଓଘରରେ ଆଜି ଭୋର ପ୍ରାୟ ୪ଟା ୩୦ ମିନଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାଉଡ଼ିଆଙ୍କୁ ନେଇ ଯାଉଥିବା ଏକ ବସ ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟ୍ରକ ସହିତ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୮ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି ବୋଲି ବିଜେପି ସାଂସଦ ନିଶୀକାନ୍ତ ଦୁବେ ସୂଚନା ଦେଇଛନ୍ତି ।

ପୋଲିସ ସୂଚନା ଅନୁଯାୟୀ ଦେଓଘରର ମୋହନପୁର ଥାନା ଅଞ୍ଚଳର ଜମୁନିୟା ଜଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ୩୨ ସିଟ୍ ବିଶିଷ୍ଟ ଏକ ବସ କାଉଡ଼ିଆଙ୍କୁ ନେଇ ଯାଉଥିବା ବେଳେ ଅନ୍ୟ ଏକ ଟ୍ରକ୍ ସହିତ ଧକ୍କା ହୋଇଛି। ବିଜେପି ସାଂସଦ ନିଶୀକାନ୍ତ ଦୁବେ କହିଛନ୍ତି, “ମୋର ଲୋକସଭା ନିର୍ବାଚନ ମଣ୍ଡଳୀ ଦେଓଘରରେ, ଆଜି ଏହି ଦୁର୍ଘଟଣାରେ ଯୋଗୁଁ ୧୮ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୋହନପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲା । ଅଗ୍ନିଶମ ବାହିନୀ ଓ ପୋଲିସ ମିଳିତ ଭାବେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମୋହନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରୁ ଆହତମାନଙ୍କୁ ଦେଓଘର ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ମୃତମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରିନାହିଁ। ମୃତ ଦେହ ଗୁଡ଼ିକୁ ଦେଓଘର ସଦର ହସ୍ପିଟାଲକୁ ପଠାଯାଉଛି । ସ୍ଥାନୀୟ ଲୋକଙ୍କ ମତରେ, ୨୦ରୁ ଅଧିକ ଭକ୍ତ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି।

The post ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୮ କାଉଡିଆ ମୃତ, ଅନେକ ଗୁରୁତର appeared first on orissaleads.

News