ଶ୍ରୀନଗର ବିମାନ ବନ୍ଦରରେ ହାତା ହାତି, କର୍ମଚାରୀ ଆହତ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଶ୍ରୀନଗର ବିମାନ ବନ୍ଦରରେ ହାତାହାତି ଘଟଣା ଘଟିଛି । ଏଥିରେ ଜଣେ ବିମାନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା ଏସଜି-୩୮୬ ବିମାନର ବୋର୍ଡିଂ ଗେଟରେ ଜଣେ ଯାତ୍ରୀ ସ୍ପାଇସଜେଟର ଚାରି ଜଣ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ଯାତ୍ରୀ ଜଣକ ସ୍ପାଇସଜେଟର କର୍ମଚାରୀଙ୍କୁ ଗୋଇଠା ଏବଂ ବିଧା ମାରି ଆକ୍ରମଣ କରିଛନ୍ତି । ଫଳରେ ଜଣେ କର୍ମଚାରୀଙ୍କ ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଛି ।
ସ୍ପାଇସ ଜେଟର ଜଣେ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା ବିମାନର ବୋର୍ଡିଂ ଗେଟରେ ଜଣେ ଯାତ୍ରୀଙ୍କ ପାଖରେ ଦୁଇଟି କ୍ୟାବିନ ବ୍ୟାଗ ଥିଲା । ଯାହାର ଓଜନ ୧୬ କେଜି ଥିଲା । କିନ୍ତୁ କ୍ୟାବିନ ଭିତରକୁ ୭ କେଜି ଜିନିଷ ନେବାର ଅନୁମତି ଥିଲା । ଫଳରେ କର୍ମଚାରୀ ଜଣକ ଯାତ୍ରୀଙ୍କୁ ଚାର୍ଜ ଭରିବାକୁ କହିଥିଲେ । ହେଲେ ଯାତ୍ରୀ ଜଣକ ପରାମର୍ଶ ଗ୍ରହଣ ନକରି କରିବା ସହିତ ଜବରଦସ୍ତି ଏରୋବ୍ରିଜରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।
ଏହାପରେ ସିଆଇଏସଏଫ ଅଧିକାରୀ ତାଙ୍କୁ ଗେଟ ନିକଟକୁ ନେଇ ଯାଇଥିଲେ। ଆଉ ଏଥିରେ ରାଗିଯାଇ ଯାତ୍ରୀ ଜଣକ ସ୍ପାଇସଜେଟର କର୍ମଚାରୀଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ଏଥିରେ କର୍ମଚାରୀ ତଳେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ଚେତାଶୂନ୍ୟ କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ଯାଇଥିବା ଜଣେ ବ୍ୟକ୍ତି ମଧ୍ୟ ମାଡ଼ ଖାଇଥିଲେ । ଆକ୍ରମଣ କରିଥିବା ଯାତ୍ରୀ ଜଣକ ସାମରିକ ଅଧିକାରୀ ବୋଲି ଚର୍ଚ୍ଚା ହେଉଛି ।ସ୍ଥାନୀୟ ପୋଲିସରେ ଏ ନେଇ ଅଭିଯୋଗ କରାଯାଇଛି ।
The post ଶ୍ରୀନଗର ବିମାନ ବନ୍ଦରରେ ହାତା ହାତି, କର୍ମଚାରୀ ଆହତ appeared first on orissaleads.
News