ବାଲିଆ ଅଞ୍ଚଳରେ ବେଧଡ଼କ ଚୋରା ମଦ, ଗଞ୍ଜେଇ ବେପାର, ବିରୋଧ କରିବାରୁ ଯୁବକଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ

ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ରାମଚନ୍ଦ୍ରପୁର ଥାନା ଅଧିନ ବାଲିଆ ଗ୍ରାମରେ ବ୍ୟାପକ ଚୋରା ମଦ, ଗଞ୍ଜେଇ ଓ ଚରସ ବେପାର ହେଉଛି । ଏ ନେଇ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ ବସିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗତକାଲି ଜଣେ ଯୁବକ ଏହାର ବିରୋଧ କରିବାରୁ ତାଙ୍କୁ ସମ୍ପୃକ୍ତ ମଦ ବ୍ୟବସାୟୀ ମରଣାନ୍ତକ ଆକ୍ରମଣ କରିଥିବା ବରୀ-ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଛି ।

ଆହତ ଯୁବକ ଜଣଙ୍କ ହେଉଛନ୍ତି ନିଶିକାନ୍ତ ଜେନା । ଆକ୍ରମଣରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆହତ ଯୁବକଙ୍କ ବାପା ଶିଶିର ଜେନା ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଗତକାଲି ସନ୍ଧ୍ୟାରେ ତାଙ୍କ ପୁଅ ତାଙ୍କୁ ଫୋନ କରି ଚୋରା ମଦ ଦୋକାନୀ ତାକୁ ମାଡି ମାରି ରକ୍ତାକ୍ତ କରିବା ସହିତ ମାରଣାସ୍ତ୍ର ଧରି ଜୀବନରୁ ମାରିଦେବାକୁ ଧକମ ଦେଉଥିବା କହିଥିଲା । ସେ ତୁରନ୍ତ ସେଠାକୁ ଯାଇ ତାକୁ ଉଦ୍ଧାର କରିଥିଲେ । ମଦ ବେପାରୀ ଶ୍ରୀକାନ୍ତ ଜେନା ତାଙ୍କ ପୁଅକୁ ଆକ୍ରମଣ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ବାଲିଆ ଜାଗୁଳାଇ ମନ୍ଦିରରୁ କିଛି ଦୂରରେ ଏହି ଚୋରା ମଦ ଦୋକାନ ରହିଛି । ବିଭିନ୍ନ ସମୟରେ ମଦ୍ୟପ ମାନେ ଏଠାରେ ମଦ୍ୟପାନ କରି ଆଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ରାସ୍ତାରେ କାଚ ମଦ ବୋତଲ ମଧ୍ୟ ଭାଙ୍ଗି ପକାଉଛନ୍ତି । ମଦ୍ୟପଙ୍କ ଭୟରେ ମନ୍ଦିରକୁ ମହିଳା ମାନେ ଯିବାକୁ ଭୟ କରୁଛନ୍ତି । ବାଲିଆ ଅଞ୍ଚଳରେ କେବଳ ଏହି ଗୋଟିଏ ମଦ ଦୋକାନ ନୁହେଁ ତିନିଟି ଚୋରା ମଦ ଦୋକାନ ଚାଲୁଛି । ଏ ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଲେ ମଧ୍ୟ ପୋଲିସ ଏ ନେଇ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ବାଲିଆରେ ବିଭିନ୍ନ ସ୍କୁଲ ସହିତ ଏକ ପ୍ରତିଷ୍ଠିତ ମହାବିଦ୍ୟାଳୟ ରହିଛି । ମଦ୍ୟପ ମାନଙ୍କ ଉତ୍ପାତରେ ଛାତ୍ରଛାତ୍ରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଏ ନେଇ ଯାଜପୁର ଏସ୍ପି ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

The post ବାଲିଆ ଅଞ୍ଚଳରେ ବେଧଡ଼କ ଚୋରା ମଦ, ଗଞ୍ଜେଇ ବେପାର, ବିରୋଧ କରିବାରୁ ଯୁବକଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ appeared first on orissaleads.

News