ଏବେ ବି ଧରାପଡ଼ି ନାହାନ୍ତି ଫେରାର ଦୁଇ ଅପରାଧୀ: ରେକର୍ଡ କହୁଛି ୯ ବର୍ଷରେ ଜେଲ୍ ଡେଇଁ ୬୭ ହୋଇଛନ୍ତି ଫେରାର
ଓଡ଼ିଶା ଲିଡ୍ସ(ବ୍ୟୁରୋ): ପାଣିକୋଇଲି ପଣ୍ଡା ସୁନା ଦୋକାନରୁ ଲୁଟ ଅଭିଯୋଗରେ ଚୌଦ୍ବାର ସର୍କଲ ଜେଲରେ ଥିବା ଦୁଇ କୁଖ୍ୟାତ ବିହାରୀ ଅପରାଧୀ ଫେରାର ହେବାକୁ ସକ୍ଷମ ହୋଇଥିଲେ । ଜେଲ ସୁରକ୍ଷା ବଳୟକୁ ଭେଦ କରି ଉଭୟ ଫେରାର ହେବା ଚର୍ଚ୍ଚାର ବିଷୟ ହୋଇଛି । ଉଭୟ ଫେରାର ହେବାକୁ ଦୀର୍ଘ ଦିନ ଅତିକ୍ରାନ୍ତ ହୋଇଥିଲା ବେଳେ ଉଭୟଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇ ନାହିଁ ।
ଏହି ଘଟଣା ଓଡ଼ିଶାରେ ପ୍ରଥମ ନୁହେଁ । ରେକର୍ଡ କହୁଛି ବିଗତ ୯ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜେଲରୁ ୬୭ ଜଣ କଏଦୀ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି । ଆଜକୁ ୪୯ ବର୍ଷ ତଳେ ରାଉରକେଲା ଜେଲ୍ରୁ ଦୁର୍ଦାନ୍ତ ଅପରାଧୀ ସଦାଲାଲ ଗୁପ୍ତା ଫେରାର ହେବାକୁ ସକ୍ଷମ ହୋଇଥିଲା । ୭ରୁ ଅଧିକ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ସଦାଲାଲ ଜେଲ୍ ସୁରକ୍ଷାକର୍ମୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଫେରାର ହୋଇଯାଇଥିଲା।
ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହେବା ପୂର୍ବରୁ ଉତ୍ତରପ୍ରଦେଶର ଏହି କୁଖ୍ୟାତ ଅପରାଧୀ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଥିଲା। ସଦାଲାଲ୍ ଓଡ଼ିଶା ସମେତ ପଡ଼ୋଶୀ ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ରାଜ୍ୟ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା । ଶେଷରେ ଓଡ଼ିଶା ପୁଲିସ ଦ୍ବାରା ଗିରଫ ପରେ ୨ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଉରକେଲା ଜେଲ୍ରେ ସଜା କାଟୁଥିଲା। ସେ ସମୟରେ ତା’ ବିରୋଧରେ ଆହୁରି ୫ଟି ମାମଲା କୋର୍ଟର ବିଚାରାଧୀନ ଥିଲା। ୧୯୭୬ ମସିହା ଜରୁରିକାଳୀନ ପରିସ୍ଥିତି ସମୟରେ ସଦାଲାଲ ସମେତ ଏକାଧିକ କଏଦୀ ରାଉରକେଲା ଜେଲ୍ରୁ ଫେରାର ହେବାକୁ ସକ୍ଷମ ହୋଇଥିଲେ ।୨୦୦୦ ମସିହାରେ କୋଦଳା ଓ ଖଲ୍ଲିକୋଟ ଜେଲ୍ରୁ ଜଣେ ଅପରାଧୀ ବିଭିନ୍ନ ସମୟରେ ତିନି ଥର ଫେରାର ହୋଇଯାଇଥିଲା ।
ରାଜ୍ୟ କାରାଗାର ବିଭାଗର ତଥ୍ୟ ଅନୁଯାୟୀ, ୨୦୨୩ରେ ୬ ଜଣ ଜେଲ୍ରୁ ଚମ୍ପଟ ମାରିଥିବା ବେଳେ ୨୦୧୫ ମସିହାରେ ୬ ଜଣ, ୨୦୧୬ ମସିହାରେ ୧୦ ଜଣ, ୨୦୧୭ ମସିହାରେ ୫ ଜଣ, ୨୦୧୮ ମସିହାରେ ୧୦ ଜଣ, ୨୦୧୯ ମସିହାରେ ୧୨ ଜଣ, ୨୦୨୦ ମସିହାରେ ୪ ଜଣ, ୨୦୨୧ ମସିହାରେ ୭ ଜଣ ଓ ୨୦୨୨ ମସିହାରେ ୭ ଜଣ କଏଦୀ ଜେଲରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି ଯାହା ଚିନ୍ତାର ବିଷୟ ହୋଇଛି ।
The post ଏବେ ବି ଧରାପଡ଼ି ନାହାନ୍ତି ଫେରାର ଦୁଇ ଅପରାଧୀ: ରେକର୍ଡ କହୁଛି ୯ ବର୍ଷରେ ଜେଲ୍ ଡେଇଁ ୬୭ ହୋଇଛନ୍ତି ଫେରାର appeared first on orissaleads.
News