ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ, ପୋଲିସର ତନାଘନା

ଓଡ଼ିଶା ଲିଡ୍ସ(ବ୍ୟୁରୋ):ପଶ୍ଚିମବଙ୍ଗର ଏକ ଘରୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ହସ୍ପିଟାଲ ପରିସର ଭିତରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ୨୦୨୪ ମସିହାର ଆରଜି କର ମେଡ଼ିକାଲ କଲେଜ ଘଟଣାକୁ ମନେ ପକାଇ ଦେଇଛି । ଅପରପକ୍ଷେ ଏହି ଘଟଣା ପଶ୍ଚିମବଙ୍ଗରେ ମହିଳା ମାନେ ବିଶେଷ କରି ଛାତ୍ରୀ ମାନେ କେତେ ଅସୁରକ୍ଷିତ ତାକୁ ପ୍ରମାଣିତ କରୁଛି ।
ଦୁଷ୍କର୍ମର ଶିକାର ହୋଇଥିବା ଉକ୍ତ ଯୁବତୀଙ୍କ ଘର ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ବୋଲି ସୂଚନା ମିଳିଛି । ଯୁବତୀ ଜଣକ ପଶ୍ଚିମବଙ୍ଗର ସବୁଠାରୁ ବଡ଼ ଶିଳ୍ପ କେନ୍ଦ୍ର ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରର ଶୋଭାପୁର ନିକଟରେ ଅବସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ ଡାକ୍ତରୀ ପଢୁଛନ୍ତି।
ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଶୁକ୍ରବାର ରାତି ୮.୩୦ ସମୟରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସରୁ ବାହାରକୁ ଆସିଥିଲେ। କ୍ୟାମ୍ପସ ଗେଟ୍ ନିକଟରେ, ଜଣେ ବ୍ୟକ୍ତି ତାଙ୍କୁ ହସ୍ପିଟାଲ ପଛପଟେ ଏକ ନିର୍ଜନ ସ୍ଥାନକୁ ଟାଣି ନେଇ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଛି ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ଯୁବତୀଙ୍କ ସହିତ ଆସିଥିବା ପୁରୁଷ ବନ୍ଧୁ ସମେତ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି। ଏହି ଘଟଣା ଉକ୍ତ ମେଡ଼ିକାଲ କଲେଜ କ୍ୟାମ୍ପସର ସୁରକ୍ଷା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଓଡ଼ିଆ ଛାତ୍ରୀଙ୍କ ସହ ଘଟିଥିବା ଦୁର୍ଭାଗ୍ୟଜନକ ଗଣଦୁଷ୍କର୍ମ ଘଟଣାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହାକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦୃଢ଼ ଦାବି ଜଣାଇଛନ୍ତି।

ଏହି ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ସରକାରଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

The post ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ, ପୋଲିସର ତନାଘନା appeared first on orissaleads.

News