ପୁଣି ଶ୍ରୀମୟୀଙ୍କ ଶବ୍ଦ ବାଣ: ଭଣ୍ଡ ସନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଜୟ ଢୋଲକିଆଙ୍କ ରକ୍ତକୁ ନେଇ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଅରୁଚିକର ମନ୍ତବ୍ୟ ଦେଲା ପରେ ବିଜେଡିର ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ଆଜି ନିଜ ଫେସ୍‌ବୁକ୍ ପୋଷ୍ଟରେ ବିଜେଡିକୁ ପୁଣି ଶବ୍ଦ ବାଣ ମାରିଛନ୍ତି । ଶ୍ରୀମୟୀ ଲେଖିଛନ୍ତି ଯଦି ଜୟ ଢୋଲକିଆ, ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କର ରକ୍ତ ନୁହେଁ ବୋଲି ଶ୍ରୀ ପ୍ରତାପ ଜେନା କହୁଛନ୍ତି, ତାହାଲେ ଭଣ୍ଡ ସନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି ବୋଲି ସେ ଅନୁଭବ କରି, ତାଙ୍କର ଆଦେଶ ମାନୁଛନ୍ତି ? ରାଜନୀତି କରନ୍ତୁ, କିନ୍ତୁ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ଢୋଲକିଆଙ୍କ ଆତ୍ମାକୁ ବାଧିଲା ଭଳି ବକ୍ତବ୍ୟ ରଖନ୍ତୁ ନାହିଁ କି ତାଙ୍କର ପରିବାରର ଭାବାବେଗ ସହ ଖେଳନ୍ତୁ ନାହିଁ। ମାନବିକତା, ରାଜନୀତିରୁ ଊର୍ଦ୍ଧ୍ବରେ। ଓଡ଼ିଆ ସଂସ୍କୃତି ଆମକୁ ଏହି ଶିକ୍ଷା ଦିଏ ।

ଗତ କାଲି ବିଜେପିରେ ଜୟ ଢୋଲକିଆ ଯୋଗଦେବା ପରେ ପ୍ରତାପ ଜେନା ନିଜ ବିବୃତିରେ କହିଥିଲେ, ଜୟ ପ୍ରକୃତରେ ଯଦି ରାଜେନ୍ଦ୍ରଙ୍କ ନିଜ ପୁଅ ହେଇ ଥାଆନ୍ତେ ସେ ବିଜେପିରେ ମିଶି ନଥାନ୍ତେ। ଜୟ ଢୋଲକିଆ ପୋଷ୍ୟ ପୁଅ ଯୋଗୁ ବିଜେପିକୁ ଗଲେ। ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ଜୟ ଢୋଲକିଆଙ୍କ ଦେହରେ ନାହିଁ । ଏଭଳି ଅରୁଚିକର ମନ୍ତବ୍ୟ ରାଜନୀତି ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି ।

The post ପୁଣି ଶ୍ରୀମୟୀଙ୍କ ଶବ୍ଦ ବାଣ: ଭଣ୍ଡ ସନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି appeared first on orissaleads.

News