ବିଜେଡିର ରକ୍ତ ରାଜନୀତି, ଆଗକୁ ଦଳ ପାଇଁ ହେବ ସମସ୍ୟା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ନୂଆପଡା ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଥିଲା ବେଳେ ବିଜେଡି ଯାହାକୁ ପ୍ରାର୍ଥୀ କରି ବାଜିମାତ କରିବାକୁ ଚାହୁଁଥିଲା ସେ ହିଁ ବିଜେଡିକୁ ମାତ ଦେଇଛନ୍ତି । ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଗତକାଲି ଏହି ଘଟଣା ଘଟିଥିଲା ବେଳେ ଏହା ବିଜେଡିର ଅକଲ ଗୁଡୁମ କରି ଦେଇଛି । ବିଗତ ୨୪ ବର୍ଷର ଶାସନ ସମୟରେ ବିଜେଡି ରାଜ୍ୟର ଅନ୍ୟ ଦୁଇ ଦଳ କଂଗ୍ରେସ ଓ ବିଜେପି ସହିତ ଯେଉଁ ଖେଳ ଖେଳୁଥିଲା ବିଜେପି ସମାନ ଖେଳ ବିଜେଡି ସହିତ ଖେଳିଛି । ଏହାକୁ ନେଇ ବିଜେଡି ଦଳର ଆଗ କୁହା ନେତା ନିରବ ହୋଇ ଯାଇଥିଲା ବେଳେ ଦଳ ପକ୍ଷରୁ କଡା ଟିପ୍ପଣୀ ଦେଇଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ।

ହେଲେ ବିବୃତି ଦେଲା ବେଳେ ନିଜ ଉପରେ ନିୟନ୍ତ୍ରଣ ରଖି ପାରି ନାହାନ୍ତି ପ୍ରତାପ । ଦଳୀୟ କଥା କହିଲା ବେଳେ ବ୍ୟକ୍ତିଗତ ସ୍ତରକୁ ଖସିଯାଇ ଜୟ ଢୋଲକିଆଙ୍କ ପ୍ରତି ଅତି ଅରୁଚିକର ମନ୍ତବ୍ୟ ଦେଇ ନିଜେ ଲୋକହସା ହେବା ସହିତ ପୁରା ଦଳକୁ ନିନ୍ଦିତ କରି ଦେଇଛନ୍ତି । ପ୍ରତାପ ସ୍ୱର୍ଗତ ଢୋଲକିଆଙ୍କ ସହିତ ଜୟଙ୍କ ରକ୍ତ ସମ୍ପର୍କ ବିଷୟରେ କହି ରକ୍ତ ରାଜନୀତି ଆରମ୍ଭ କରିଛନ୍ତି । ଗତ କାଲିଠାରୁ ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ବେଳେ ଏହାକୁ ନେଇ ଆଜି ବିଜେଡିର ନିଲମ୍ବିତ ନାରୀ ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଯାହା ପୁଣି ଦଳକୁ ଅପ୍ରସ୍ତୁତ କରି ଦେଇଛି ।

ସ୍ୱର୍ଗତ ଢୋଲକିଆଙ୍କର ଜୟ ପାଳିତ ପୁତ୍ର ବୋଲି ସମସ୍ତେ ଜାଣନ୍ତି । ଢୋଲକିଆ ମଧ୍ୟ ତାଙ୍କ ଉତ୍ତରାଧିକାରୀ ଭାବେ ଜୟଙ୍କୁ ଗଢୁଥିଲେ । ସେ ଏବେ ଦଳ ଛାଡିବାରୁ ସମ୍ଭବତଃ ବିଜେଡି ଅକଳରେ ପଡି ରକ୍ତ ରାଜନୀତି ଆରମ୍ଭ କରିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଆଗକୁ ପ୍ରତାପ ଓ ବିଜେଡିର ରକ୍ତ ରାଜନୀତି ନୂଆପଡ଼ାରେ ବିଜେଡିକୁ ଅଧିକ କ୍ଷତିଗ୍ରସ୍ତ କରିବ ଏଥିରେ ସନ୍ଦେହ ନାହିଁ ।

The post ବିଜେଡିର ରକ୍ତ ରାଜନୀତି, ଆଗକୁ ଦଳ ପାଇଁ ହେବ ସମସ୍ୟା appeared first on orissaleads.

News