ନୂଆପଡା ପାଇଁ ପ୍ରାର୍ଥୀ ଚିନ୍ତାରେ ବିଜେଡି
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଜୟ ଢୋଲକିଆ ବିଜେପିରେ ମିଶିବା ପରେ ବିଜେଡି ନୂଆପଡା ପ୍ରାର୍ଥୀଙ୍କୁ ନେଇ ଏବେ ଚିନ୍ତାରେ ପଡିଛି । ବିଜେଡିକୁ ଉପଯୁକ୍ତ ପ୍ରାର୍ଥୀ ମିଳୁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି । ଦଳର ଏହି ସ୍ଥିତି ଦଳର କର୍ମୀଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିଛି । ବିଜେଡି ଜୟଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ହାସଲ କରି ବିଜୟୀ ହେବାକୁ ସ୍ୱପ୍ନ ଦେଖିଥିଲା । କିନ୍ତୁ ଜୟ ହଠାତ ବିଜେଡି ଛାଡି ବିଜେପିରେ ସାମିଲ ହୋଇଗଲେ ।
ନୂଆପଡା ପାଇଁ ପ୍ରାର୍ଥୀ ଚୟନ କରିବାକୁ ସୁପ୍ରିମୋ ନବୀନ ପଟ୍ଟନାୟକ କୋର କମିଟି ଗଠନ କରିଛନ୍ତି । ଏହି କମିଟିରେ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା ଓ ବିଶ୍ବରଞ୍ଜନ ମଲ୍ଲିକଙ୍କ ଭଳି ନେତା ସାମିଲ ଅଛନ୍ତି । ଏମାନେ ନୂଆପଡା ଯାଇ ସ୍ଥାନୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ ଓ ନବୀନଙ୍କୁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରଦାନ କରିବେ ।
ବିଜେଡି ପ୍ରାର୍ଥୀ ହେବାକୁ ରେସରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପ ସିଂ ମାଝୀ ଆଗରେ ଥିବା ଚର୍ଚ୍ଚା ହେଉଛି । ଗତ ସାଧାରଣ ନିର୍ବାଚନ ବେଳେ ଦଳ ବିରୋଧୀ କାମ ଯୋଗୁଁ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଦଳ ଏବେ ପର୍ଯ୍ୟନ୍ତ ତାଙ୍କ ଉପରୁ ନିଲମ୍ବନ ଉଠାଇ ନାହିଁ । ସେହିପରି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଘାସିରାମ ମାଝୀଙ୍କ ଝିଅ ସରୋଜିନୀ ମାଝୀ, ନୂଆପଡା ଜିଲ୍ଲା ବିଜେଡି ସଭାପତି ଅବନୀ ଯୋଶୀ ଓ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ହେଲେ ବିଜେଡି କାହା ଉପରେ ଭରସା କରୁଛି ତାକୁ ସମସ୍ତଙ୍କ ଅପେକ୍ଷା ରହିଛି ।
The post ନୂଆପଡା ପାଇଁ ପ୍ରାର୍ଥୀ ଚିନ୍ତାରେ ବିଜେଡି appeared first on orissaleads.
News