ନିର୍ବିକାର ପୂର୍ତ୍ତ ବିଭାଗ:ଦୁର୍ଘଟଣାକୁ ହାତଠାରି ଡାକୁଛି କାନ୍ତକାର ସେତୁ

ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଳକର ଜୀବନ ରେଖା ବରୀ ମାଉଣ୍ଡ-ରାମଚନ୍ଦ୍ରପୁର ରାସ୍ତା । ଏହିରାସ୍ତା ଉପରେ ବରୀ ବ୍ଳକର ୨୯ ପଞ୍ଚାୟତ ନିର୍ଭରଶୀଳ । ରାସ୍ତାର ଉଭୟ ପାର୍ଶ୍ଵରେ ରହିଛି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସହିତ ବିଭିନ୍ନ ସ୍କୁଲ ଓ କଲେଜ । ପୂର୍ବରୁ ଏହି ରାସ୍ତା ଜଳ ସମ୍ପଦ ବିଭାଗ ଅଧିନରେ ଥିଲା ବେଳେ ଏବେ ଏହା ପୂର୍ତ୍ତ ବିଭାଗ ଅଧିନରେ ରହିଛି । କିଛିଦିନ ହେଲା ରାସ୍ତା ପ୍ରଶସ୍ଥିକରଣ କାର୍ଯ୍ୟ ଚାଲୁଥିଲା ବେଳେ ଏବେ ରାସ୍ତା ପିଚୁ କାର୍ଯ୍ୟ ଆରମ୍ଭ ହୋଇଛି ।

ଏହି ରାସ୍ତାରେ ରହିଛି କାନ୍ତକାର ସେତୁ । ଏହି ସେତୁକୁ ସଂପ୍ରସାରଣ କରିବାକୁ ଦୀର୍ଘ ବର୍ଷ ହେଲା ଦାବି ହେଉଥିଲା ବେଳେ ଏଥିପ୍ରତି ବିଭାଗ ଦୃଷ୍ଟି ଦେଉନାହିଁ । ଏହି ସେତୁରେ ଦୁଇଟି ଫୁକାର ଥିଲା ବେଳେ ବନ୍ୟା ସମୟରେ ବନ୍ୟାଜଳ ନିଷ୍କାସନରେ ଏହା ପ୍ରତିବନ୍ଧକ ହେଉଛି । ବରୀ ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ଦାବିକୁ ଜଳ ସଂପଦ ବିଭାଗ ଗୁରୁତ୍ୱ ଦେଇନଥିଲା । ପୂର୍ବରୁ ପଥଚାରୀଙ୍କ ସୁରକ୍ଷା ପାଇଁ ସେତୁର ଉଭୟ ପଟରେ ବାଡ଼ା ନିର୍ମାଣ ହୋଇଥିଲା । ଏବେ ଏହା ଭାଙ୍ଗିରୁଜି ଗଲାଣି । ବନ୍ଧରୁ ସେତୁର ଗଭୀରତା ବେଶ ଅଧିକ । ଯଦି କୌଣସି କାରଣରୁ ଦୁର୍ଘଟଣା ଘଟେ ତେବେ ପଥଚାରୀ ମୃତ୍ୟୁ ମୁଖରେ ପଡିବେ ନ ହେଲେ ଗୁରୁତର ଆହତ ହେବେ । ସେତୁର ଉଭୟ ପଟ ବାଡ଼ା ଭାଙ୍ଗିରୁଜି ଯାଇଥିଲା ବେଳେ ଏହା ବିପଦକୁ ଆଁ କରି ଅନାଇଛି । ଏହି ସେତୁର ଉଭୟ ପଟ ବାଡ଼ା ତୁରନ୍ତ ନିର୍ମାଣ କରିବାକୁ ଲାଲ ବିହାରୀ ମହାନ୍ତି, ସମରେଶ ଓଝା, ଅଧର କୁମାର ଜେନା ପ୍ରମୁଖ ଦାବି କରିଛନ୍ତି ।

The post ନିର୍ବିକାର ପୂର୍ତ୍ତ ବିଭାଗ:ଦୁର୍ଘଟଣାକୁ ହାତଠାରି ଡାକୁଛି କାନ୍ତକାର ସେତୁ appeared first on orissaleads.

News