କର୍ପୋରେଟର ଅମରେଶ ଜେନା ବିଜେପିରେ ମିଶିବା ଚର୍ଚ୍ଚା: ଚର୍ଚ୍ଚାକୁ ଖୋରାକ ଯୋଗାଉଛି ଜଗା ପ୍ରଧାନଙ୍କ ସ୍ୱାଗତ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଏମସିର ଟାଣୁଆ କର୍ପୋରେଟର ଅମରେଶ ଜେନା ଜେଲରୁ ମୁକୁଳିବା ପରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରାୟ ୩ ମାସ ଧରି ଜେଲରେ ରହିବା ପରେ ବେଲରେ ମୁକୁଳିଥିବା ଅମରେଶଙ୍କୁ ଦିଆ ଯାଇଥିବା ସ୍ବାଗତ ସମ୍ବର୍ଦ୍ଧନା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଭୁବନେଶ୍ୱରର ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ଏଭଳି କିଛି ସଙ୍କେତ ଦେଇ ଏହି ଚର୍ଚ୍ଚାକୁ ଅଧିକ ବଳ ଦେଇଛନ୍ତି ।

ଜେଲରୁ ମୁକୁଳିଥିବା ଅମରେଶ ଜେନାଙ୍କୁ ପ୍ରଶଂସା କରିବା ସହ ଜଗା ପ୍ରଧାନ କହିଛନ୍ତି, ଅମରେଶ ଲୋକଙ୍କ ଦୁଃଖ ସୁଖର ସାଥୀ। ତେଣୁ ଅମରେଶଙ୍କ ଦୁଃଖ ଏବଂ ସୁଖରେ ମୁଁ ଅଛି। ବିଜେଡି ଓ ନବୀନ ବାବୁ ଦୁଃଖ ସମୟରେ ତାଙ୍କ ହାତ ଛାଡିଦେଇଛନ୍ତି। ଏହା ଅମରେଶଙ୍କ ସହ ଅନ୍ୟାୟ ହୋଇଛି। ଏବେ ସିଏ ବାହାରକୁ ଆସିଛନ୍ତି, ଆଗକୁ ସତ୍ୟାସତ୍ୟ ସାମ୍ନାକୁ ଆସିବ।

ବିଜେପିରେ ସାମିଲ ହେବାକୁ ଅମରେଶ ଜେନା ଯଦି ହଁ କହିବେ, ତାହେଲେେ ମୁଁ ତାଙ୍କୁ ଦଳକୁ ସ୍ୱାଗତ କରିବା ସହ ଶୀର୍ଷ ନେତୃତ୍ବଙ୍କ ସହ ତାଙ୍କ ବିଷୟରେ କଥା ହେବି ବୋଲି କହିଛନ୍ତି ଜଗନ୍ନାଥ। ଅମରେଶ ଆସିଲେ ବିଜେପି ମଜବୁତ ହେବ ବୋଲି ବି ଜଗା ପ୍ରଧାନ ମତ ଦେଇଛନ୍ତି ।ଏଠାରେ ସୂଚନା ଯୋଗ୍ୟ ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାରେ ଅମରେଶ ପ୍ରାୟ ୩ ମାସ ତଳେ ଗିରଫ ହୋଇ ଜେଲ୍ ଯାଇଥିଲେ। ଗତ ୧୭ ତାରିଖରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଲା ପରେ ସେ ଏବେ ବାହାରକୁ ଆସିଛନ୍ତି ।

The post କର୍ପୋରେଟର ଅମରେଶ ଜେନା ବିଜେପିରେ ମିଶିବା ଚର୍ଚ୍ଚା: ଚର୍ଚ୍ଚାକୁ ଖୋରାକ ଯୋଗାଉଛି ଜଗା ପ୍ରଧାନଙ୍କ ସ୍ୱାଗତ appeared first on orissaleads.

News