ନୂଆପଡ଼ା ଉପନିର୍ବାଚନ: ୩ ପ୍ରମୁଖ ଦଳ ନଜରରେ ଆଦିବାସୀ ଓ ଯୁବ ଭୋଟର

ଓଡ଼ିଶା ଲିଡ୍ସ(ବ୍ୟୁରୋ): ନୂଆପଡ଼ା ନିର୍ବାଚନ ଦିନ ପାଖେଇ ଆସୁଥିଲା ବେଳେ ତିନି ପ୍ରମୁଖ ଦଳ ନିଜ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି । ପ୍ରଚାର ଜରିଆରେ ନିଜ ଦଳ ପ୍ରତି ଭୋଟରଙ୍କ ସମର୍ଥନ ହାସଲ ଉଦ୍ୟମ ହେଉଥିଲା ବେଳେ ପ୍ରକୃତ ନଜର କିନ୍ତୁ ରହିଛି ନୂଆପଡାର ଆଦିବାସୀ ଓ ଯୁବ ଭୋଟ ଉପରେ । ଯିଏ ଅଧିକ ଆଦିବାସୀ ଓ ଯୁବ ଭୋଟ ନିଜ ସମର୍ଥନକୁ ଆଣିବ ସେଇ ଦଳ ଏଠାରେ ଜିତିବ । ବିଶେଷ କରି ନିର୍ବାଚନମଣ୍ଡଳୀରେ ଆଦିବାସୀ ଭୋଟର ସଂଖ୍ୟାଧିକ ଥିବାରୁ ଏମାନେ ନିର୍ଣ୍ଣାୟକ ଭୂମିକା ନେବେ ବୋଲି କୁହାଯାଉଛି । ବିଜେପି, ବିଜେଡି ଓ କଂଗ୍ରେସ ଦଳ ଆଦିବାସୀ ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ରଣନୀତି ଆଙ୍କିଛନ୍ତି ।

ଏହି ନିର୍ବାଚନ ମଣ୍ଡଳୀରେ ପ୍ରାୟ ୪୨ ପ୍ରତିଶତ ଆଦିବାସୀ ଭୋଟର ଅଛନ୍ତି । କୋମନା ବ୍ଲକରେ ପ୍ରାୟ ୫୦ ହଜାର, ନୂଆପଡା ବ୍ଲକରେ ପ୍ରାୟ ୪୦ ହଜାର ଆଉ ନୂଆପଡା ଏବଂ ଖରିଆରରୋଡ ଏନଏସିରେ ପାଖାପାଖି ୫ ହଜାର ଆଦିବାସୀ ବସବାସ କରୁଛନ୍ତି। ଯେଉଁଥିପାଇଁ ଆଦିବାସୀ ଭୋଟରଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ।

କଂଗ୍ରେସ ଆଦିବାସୀ ପ୍ରାର୍ଥୀ ଭାବେ ଘାସିରାମ ମାଝୀ ଘୋଷଣା କରି ରେସରେ ଆଗରେ ରହିବାକୁ ଉଦ୍ୟମ କରିଛି। ଗତ ନିର୍ବାଚନରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିବା ଘାସିରାମ ସର୍ବାଧିକ ଆଦିବାସୀ ଭୋଟ ପାଇଁ ନିଜ ଭୋଟ ସଂଖ୍ୟାକୁ ୫୦ ହଜାର ପାର କରିବାକୁ ସକ୍ଷମ ହୋଇଥିଲେ । ଚଳିତ ନିର୍ବାଚନରେ ଘାସିରାମଙ୍କୁ ବିଭିନ୍ନ ଆଦିବାସୀ ସଂଗଠନ ବିରୋଧ କରୁଥିଲା ବେଳେ ସେମାନଙ୍କୁ ମନାଇବାକୁ ଘାସିରାମ ଓ କଂଗ୍ରେସ ଉଦ୍ୟମ କରୁଛି ।

ଶାସକ ବିଜେପି ବିକାଶକୁ ଆଧାର କରି ଆଦିବାସୀ ଭୋଟରଙ୍କ ପାଖକୁ ଯାଉଛି। ବିଜେପି ସରକାର ସମୟରେ ଆଦିବାସୀଙ୍କ ଉନ୍ନତି ହେବାର ପ୍ରତିଶୃତି ଦେଉଛି ବିଜେପି । ବିଜେଡି ମଧ୍ୟ ଆଦିବାସୀ ଭୋଟ ଉପରେ ଫୋକସ କରୁଛି । ବିଗତ ଦିନରେ ବିଜେଡି ସରକାର ସମୟରେ ସରକାର ଆଦିବାସୀଙ୍କ ଉନ୍ନତିକୁ ଗୁରୁତ୍ୱ ଦେଇଥିବା କଥା କହି ଆଦିବାସୀଙ୍କ ସମର୍ଥନ ହାସଲ ଉଦ୍ୟମ କରୁଛି । ବିଜେଡି ପ୍ରଥମ ପଦକ୍ଷେପ ସ୍ୱରୂପ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଭାନୁ ପ୍ରତାପ ସିଂ ମାଝୀଙ୍କ ଉପରୁ ନିଲମ୍ବନ ଉଠାଇ ଆଦିବାସୀମାନଙ୍କୁ ନିଜ ଆଡକୁ ନେବାକୁ ଚେଷ୍ଟା କରୁଛି । ଆଦିବାସୀଙ୍କ ଉପରେ ଭାନୁ ପ୍ରତାପଙ୍କ ପ୍ରଭାବ ଥିବାରୁ ବିଜେଡି ଏହି ପଦକ୍ଷେପ ନେଇଛି । ବିଜେଡି ମହିଳା ପ୍ରାର୍ଥୀ ଦେଇ ମହିଳା କାର୍ଡ ଖେଳିଥିଲା ବେଳେ ସ୍ନେହାଙ୍ଗିନୀ ଏସସି ବର୍ଗର ପ୍ରାର୍ଥିନୀ ହୋଇଥିବାରୁ ନିର୍ବାଚନମଣ୍ଡଳୀର ୧୫ ପ୍ରତିଶତ ଏସସି ଭୋଟରଙ୍କ ଉପରେ ମଧ୍ୟ ନଜର ରଖିଛି ବିଜେଡିବ। ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୦ ହଜାର ୭୨ ଜଣ ନୂଆ ଭୋଟର ତାଲିକା ଭୁକ୍ତ ହୋଇଥିଲା ବେଳେ ସେମାନଙ୍କୁ ଟାର୍ଗେଟ କରିଛନ୍ତି ତିନି ଦଳ ।

The post ନୂଆପଡ଼ା ଉପନିର୍ବାଚନ: ୩ ପ୍ରମୁଖ ଦଳ ନଜରରେ ଆଦିବାସୀ ଓ ଯୁବ ଭୋଟର appeared first on orissaleads.

News