ନୂଆପଡା ଉପନିର୍ବାଚନ: ତିନି ଦଳ ମଧ୍ୟରେ ବିଗ ଫାଇଟ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟ ରାଜନୀତି ପାଣି ପାଗକୁ ସରଗରମ କରିଛି ନୂଆପଡା ଉପନିର୍ବାଚନ । ବିଜେପି ଚାହୁଁଛି ଦଳ ଜିତିବ, ବିଜେଡି ଚାହୁଁଛି ଦଳ ଜିତିବ, କଂଗ୍ରେସ ବି ଚାହୁଁଛି ଦଳ ଜିତିବ । ତିନି ପ୍ରମୁଖ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ରଣନୀତି ଆଙ୍କି ଚାଲିଛନ୍ତି । ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିଲାବେଳେ ତିନିଦଳ ଏବେ ନିଜ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି । ନୂଆପଡ଼ାରେ ବିଭିନ୍ନ ଦଳର ନେତା ଏବେ ଡେରା ପକାଇଛନ୍ତି ।
ବିଜେପି ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରି ବିଜୟୀ ହେବାକୁ ଯୋଜନା କରିଥିଲା ବେଳେ ମହିଳା କାର୍ଡ ଖେଳିଛି ବିଜେଡି । ପଶ୍ଚିମ ଓଡ଼ିଶାର ଟାଣୁଆ ମହିଳା ନେତ୍ରୀ ତଥା ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଅନ୍ୟପକ୍ଷରେ ସର୍ବାଧିକ ଆଦିବାସୀ ଭୋଟର ଥିବା ନୂଆପଡା ନିର୍ବାଚନ ମଣ୍ଡଳୀରେ ଆଦିବାସୀ କାର୍ଡ ଖେଳି ଗତ ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ି ଦ୍ଵିତୀୟ ସ୍ଥାନରେ ଥିବା ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।
ଏହି ତିନି ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିଲା ବେଳେ ପ୍ରକୃତରେ ତିନି ଦଳର ତିନି ନେତାଙ୍କ ସମ୍ମାନ ଏମାନଙ୍କ ସହିତ ଯୋଡି ହୋଇ ଯାଇଛି । ଜୟ ଢୋଲକିଆଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସ୍ନେହାଙ୍ଗିନୀ ଛୁରିଆଙ୍କ ସହିତ ଵିରୋଧି ଦଳ ନେତା ନବୀନ ପଟ୍ଟନାୟକ ଓ ଘାସିରାମ ମାଝୀଙ୍କ ସହିତ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମ୍ମାନ ଯୋଡି ହୋଇଛି । ସରକାର ପରିବର୍ତ୍ତନ ପରେ ନୂଆପଡା ଉପନିର୍ବାଚନ ହେଉଥିବାରୁ ଏହା ତିନିଦଳ ପାଇଁ ଆହ୍ୱାନ ଭରା ହୋଇଛି । ବିଜେପି ବିଜୟୀ ହେଲେ ସରକାରଙ୍କ ପ୍ରତି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଜନ ସମର୍ଥନ ଅଛି ବୋଲି ପ୍ରମାଣିତ ହେବ । ବିଜେଡି ଜିତିଲେ ଏବେ ବି ଲୋକେ ନବୀନଙ୍କ ପ୍ରତି ବିଶ୍ଵାସ ଓ ଭରସା କରିଥିବା ପ୍ରମାଣିତ ହେବ । ଅପରପକ୍ଷେ କଂଗ୍ରେସ ଜିତିଲେ ଆଗକୁ ରାଜ୍ୟବାସୀ ପୁଣି କଂଗ୍ରେସ ଉପରେ ଭରସା କରିବେ ବୋଲି ପ୍ରମାଣିତ ହେବ । ଶାସକ ଦଳ ଭାବେ ବିଜେପି ଏହି ଉପ ନିର୍ବାଚନରେ ବିଜୟୀ ହେବାକୁ ଜୋର ଲଗାଇବ ଏଥିରେ ସନ୍ଦେହ ନାହିଁ । ସବୁ କଳ, ବଳ ଓ କୌଶଳ ଲଗାଇ ବିଜେପି ତାର ପ୍ରାର୍ଥୀଙ୍କୁ ଜିତାଇବାରେ ଆଦୌ କାର୍ପଣ୍ୟ କରିବ ନାହିଁ । ହେଲେ ବିଜେଡି ଓ କଂଗ୍ରେସର ବଦଳା ଆଭିମୁଖ୍ୟ କିନ୍ତୁ ବିଜେପିର ଚିନ୍ତା ବଢ଼ାଇ ଦେଇଛି । ବେଶ କିଛି ବର୍ଷ ହେଲା ନିରବ ବସିଥିବା ଦଳର ସଭାପତି ନବୀନ ପଟ୍ଟନାୟକ ନିର୍ବାଚନ ମଇଦାନକୁ ଓହ୍ଲାଇବାର ନିଷ୍ପତି ନେବା ଦଳକୁ ବହୁ ଗୁଣରେ ଉତ୍ସାହିତ କରିଛି । ଗତ ସାଧାରଣ ନିର୍ବାଚନକୁ ସମ୍ଭବତଃ ନବୀନ ଗୁରୁତ୍ୱ ଦେଇ ଏଭଳି ନିଷ୍ପତି ନେଇଛନ୍ତି । ଗତ ନିର୍ବାଚନରେ ଅନ୍ୟମାନଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ ଦେବା ଦ୍ୱାରା ସରକାର ପତନ ଘଟିବା ବୋଧହୁଏ ନବୀନ ବୁଝି ସାରିଛନ୍ତି ।ଯେହେତୁ ନବୀନ ମଇଦାନକୁ ଓହ୍ଲାଉଛନ୍ତି ଦଳ ମଧ୍ୟ ନୂଆପଡ଼ାରେ ବଳ ଖଟାଇବ ଏଥିରେ ସନ୍ଦେହ ନାହିଁ । ଦଳର ସବୁ ଆଗଧାଡ଼ିର ନେତା ଓ କର୍ମୀ ଏବେ ବିଭିନ୍ନ ବ୍ଲକ ଓ ଏନଏସିରେ ଦଳକୁ ସଙ୍ଗଠିତ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ନବୀନ ଖୁବ ଶୀଘ୍ର ନୂଆପଡା ଯାଇ ପ୍ରଚାର ମଧ୍ୟ କରିବେ। ନବୀନ ପ୍ରଚାର କଲେ ଦଳର ସ୍ଥିତି ବଦଳିବ ବୋଲି ଦଳ ଆଶା କରିଛି । ବିଜେଡି ଦଳ କିଛି ମାସ ମଧ୍ୟରେ ଅନେକ ବିବାଦ ମଧ୍ୟରେ ଛନ୍ଦି ହୋଇ ପଡିଛି ସତ ହେଲେ ନବୀନଙ୍କ ଲୋକପ୍ରିୟତା ଉପରେ ଏହାର କେତେ ପ୍ରଭାବ ପଡିଛି ତାହା ଏଠାରେ ନିଶ୍ଚିତ ପ୍ରମାଣିତ ହେବ । ଏବେ ବି ଭୋଟରଙ୍କ ଭାବାବେଗ ନବୀନ ଓ ଶଙ୍ଖ ଚିହ୍ନ ସହିତ ରହିଛି ଏଥିରେ ସନ୍ଦେହ ନାହିଁ । ଅନ୍ୟ ପକ୍ଷରେ ଗତ ଦୁଇ ଦଶନ୍ଧି ଧରି ସବୁ ନିର୍ବାଚନରେ କଂଗ୍ରେସ ଦଳ କେବଳ ନାମକୁ ମାତ୍ର ଲଢେଇ କରୁଥିଲା ଏହା ସମସ୍ତେ ଜାଣନ୍ତି । ହେଲେ ଅନୁଭବୀ ନେତା ଭକ୍ତ ଚରଣ ଦାସ ଦଳର ଦାୟିତ୍ୱ ନେଲା ପରେ ଦଳକୁ ଭିନ୍ନରୁପରେ ଆଗକୁ ନେଉଛନ୍ତି । ତିନି ଦଳ ମଧ୍ୟରୁ ନୂଆପଡ଼ାରେ କଂଗ୍ରେସ ପ୍ରଥମେ ନିଜର ପ୍ରାର୍ଥୀ ଘୋଷଣା କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା । ଦଳ ଏବେ ଏହି ଆସନରେ ଜିତିବାକୁ ଯେମିତି ପଣ କରିଛି । ଦଳ ବେଶ ସଙ୍ଗଠିତ ଉପାୟରେ ଆଗକୁ ବଢୁଥିଲା ବେଳେ ନୂଆପଡ଼ାରେ କିନ୍ତୁ ଏକପାଖିଆ ଭୋଟ ହେବ ନାହିଁ ଏହା ସତ । ଏବେ ସୁଦ୍ଧା ତିନିଦଳ ମଧ୍ୟରେ ବିଗ ଫାଇଟ ହେଉଥିଲା ବେଳେ ଆଗକୁ ଜୋରଦାର ଲଢେଇ ହେବ ଏଥିରେ ସନ୍ଦେହ ନାହିଁ ।
The post ନୂଆପଡା ଉପନିର୍ବାଚନ: ତିନି ଦଳ ମଧ୍ୟରେ ବିଗ ଫାଇଟ appeared first on orissaleads.
News