ନୂଆପଡା ରାଜନୀତି: ବିଜେଡିର ରକ୍ତ ରାଜନୀତି ପରେ ବିଜେପିର ଫଟୋ ରାଜନୀତି
ଓଡ଼ିଶା ଲିଡ୍ସ(ବ୍ୟୁରୋ): ନୂଆପଡା ଉପନିର୍ବାଚନ ଯେତିକି ପାଖଉଛି ବିଜେଡି ଓ ବିଜେପି ମଧ୍ୟରେ ତିକ୍ତତା ସେତିକି ବଢି ବଢି ଚାଲିଛି । ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡି ଛାଡିବା ପରେ ବିଜେଡି ରକ୍ତ ରାଜନୀତି କରିଥିଲା । ଦଳର ବରିଷ୍ଠ ସଦସ୍ୟ ପ୍ରତାପ ଜେନା ଜୟ ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ହୋଇଥିଲେ ଦଳ ଛାଡି ନଥାନ୍ତେ ବୋଲି ଆକ୍ଷେପ କରିଥିଲେ । ଏବେ ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ଫଟୋକୁ ନେଇ ରାଜନୀତି ଆରମ୍ଭ କରିଛି । ଗତ କାଲି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ନୂଆପଡାରେ ରହୁଥିବା ଘରେ ପୋଲିସ ବଳ ପୂର୍ବକ ରେଡ଼ କରିଥିଲା । ରେଡ଼ ସମୟରେ ଇଂ ଘଡାଇ ସେଠାରେ ନଥିଲା ବେଳେ ବିଭିନ୍ନ ପଞ୍ଚାୟତରେ ନିର୍ବାଚନ ପ୍ରଚାର କରୁଥିଲେ । ହେଲେ ପୋଲିସ ସେଠାରୁ କିଛି ନପାଇ ଫେରିବାକୁ ବାଧ୍ୟ ହୋଇଥିଲା । କାହା ନିର୍ଦ୍ଦେଶରେ ପୋଲିସ ଏହି ରେଡ଼ କରିଥିଲା ତାହା ଭିନ୍ନ କଥା, ହେଲେ ଏହା ସାଧାରଣରେ ବିଜେପିକୁ ନିନ୍ଦିତ କରିଛି । ପ୍ରଶାସନ ଏକ ପ୍ରକାର ଅପ୍ରସ୍ତୁତ ହୋଇ ଯାଇଛି ଏହି ଘଟଣା ପରେ । ଇଂ ଘଡାଇ ଜଣେ ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ନେତା ହୋଇଥିଲା ବେଳେ ରାଜ୍ୟର ଜଣେ ପରିଚିତ ରାଜନେତା । ତାଙ୍କ ଅନୁପସ୍ଥିତିରେ ସେ ରହୁଥିବା ଘରକୁ ରେଡ଼ କରିବା ସାଧାରଣରେ ମଧ୍ୟ ପ୍ରତିକ୍ରିୟା ସୃଷ୍ଟି କରିଛି । ଏହାକୁ ନେଇ ବିଜେଡି ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ରାସ୍ତାକୁ ଓହ୍ଲାଇଥିଲା ।
ଅନ୍ୟ ଏକ ଘଟଣା ମଧ୍ୟ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ସ୍ୱର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବିଜେଡି ନିର୍ବାଚନ ପ୍ରଚାରରେ ବ୍ୟବହାର କରି ପାରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି ନୂଆପଡା ଜିଲ୍ଲାପାଳ । ଯାହାର ତୀବ୍ର ପ୍ରତିବାଦ କରିଛି ବିଜେଡି । ବିଜେଡି କହିଛି ସ୍ୱର୍ଗତ ଢୋଲକିଆ ବିଜୁ ବାବୁଙ୍କ ସମୟରୁ ବିଜୁ ପରିବାର ସହିତ ଜଡିତ । ନବୀନ ପଟ୍ଟନାୟକଙ୍କ ସହିତ ଦକରେ ରହି ସେ ତିନିଥର ବିଧାୟକ ହେବା ସହିତ ମନ୍ତ୍ରୀ ହୋଇଛନ୍ତି । ଜୀବନର ଶେଷ ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳର ସଦସ୍ୟ ରହିଥିଲେ । ତେଣୁ ଦଳ ତାଙ୍କ ଫଟୋ ବ୍ୟବହାର କରିବାରେ ଅସୁବିଧା ନାହିଁ । ବିଜେପି ଚାପରେ ଜିଲ୍ଲାପାଳ ଏହା କରିବା ଉଚିତ ନୁହେଁ । ଦଳ ଏ ନେଇ ମଧ୍ୟ ନିର୍ବାଚନ କମିଶନ ନିକଟରେ ଫେରାଦ ହୋଇଛି । ନିର୍ବାଚନ ପାଖେଇ ଆସୁଥିଲା ବେଳେ ବିଜେପି ଓ ବିଜେଡି ମଧ୍ୟରେ ରାଜନୈତିକ ତିକ୍ତତା ବେଶ ବଢି ଚାଲିଥିବା ପରିଲକ୍ଷିତ ହୋଇଛି ।
The post ନୂଆପଡା ରାଜନୀତି: ବିଜେଡିର ରକ୍ତ ରାଜନୀତି ପରେ ବିଜେପିର ଫଟୋ ରାଜନୀତି appeared first on orissaleads.
News