ନୂଆପଡା ଉପନିର୍ବାଚନ:ନବୀନଙ୍କୁ ନେଇ ଚିନ୍ତାରେ ବିଜେପି !

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବେଶ କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡା ଉପନିର୍ବାଚନରେ ବିଜେପି ସହିତ କଂଗ୍ରେସର ପ୍ରତିଦ୍ୱନ୍ଦିତା ହେବ ବୋଲି କହିଥିଲେ । ହେଲେ ଏବେ ନୂଆପଡା ଉପନିର୍ବାଚନରେ ବିଜେଡିକୁ ନେଇ ବିଜେପି ଚିନ୍ତାରେ ପଡ଼ି ସାରିଛି । ଆଉ ବିଜେପି ପାଇଁ ଚିନ୍ତାର କାରଣ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଵିରୋଧି ଦଳ ନେତା ନବୀନ ପଟ୍ଟନାୟକ । ନବୀନ ଆସନ୍ତା ୩ ଓ ୭ ତାରିଖ ଦୁଇଦିନ ନୂଆପଡାରେ ପ୍ରଚାର କରିବେ । ଗତ ନିର୍ବାଚନରେ ବିଜେଡି ପରାଜିତ ହୋଇଥିଲେ ମଧ୍ୟ ଏବେ ବି ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା କମି ନାହିଁ । ବିଗତ ୧୬ ମାସ ମଧ୍ୟରେ ବିଜେପି ସରକାର ବିଭିନ୍ନ କାରଣକୁ ନେଇ ବେଶ ନିନ୍ଦିତ ହୋଇଛି । ରାଜ୍ୟରେ ଆଇନ କାନୁନ ବ୍ୟବସ୍ଥା ବେଶ ନିମ୍ନଗାମୀ ହୋଇଛି । ରାଜ୍ୟରେ ଘଟିଥିବା ବିଭିନ୍ନ ଘଟଣାକ୍ରମ ସରକାରକୁ ନିନ୍ଦିତ କରିଛି । ଏହାରି ଭିତରେ ନୂଆପଡା ଉପନିର୍ବାଚନ ଅନୁଷ୍ଠିତ ହେଉଛି ।

ନୂଆପଡା ଉପନିର୍ବାଚନ ତିନିଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇ ଛିଡା ହୋଇଛି । କଂଗ୍ରେସ ପାଇଁ ଏହି ନିର୍ବାଚନ ଜିତିବା ହାରିବା ଯେତିକି ଗୁରୁତ୍ୱ ବହନ କରୁନାହିଁ ତା ଠାରୁ ଢେର ଅଧିକ ଗୁରୁତ୍ୱ ବହନ କରୁଛି ବିଜେପି ଓ ବିଜେଡି ପାଇଁ । ବିଜେପି ଶାସକ ଦଳ ହୋଇଥିବାରୁ ଉପନିର୍ବାଚନ ଜିତିବା ବେଶ ଜରୁରୀ ହୋଇଛି । ନିର୍ବାଚନ ଜିତିଲେ ରାଜ୍ୟବାସୀଙ୍କର ଦଳ ଓ ସରକାର ଉପରେ ଭରସା ଓ ବିଶ୍ୱାସ ଅଛି ବୋଲି ପ୍ରମାଣିତ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ । ଦଳ ଯଦି ପରାଜିତ ହୁଏ ତେବେ ଏହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲୋକପ୍ରିୟତା ଓ ସରକାର ଉପରେ ବ୍ୟାପକ ପ୍ରଭାବ ପକାଇବ ।

ଅପରପକ୍ଷେ ମୁଖ୍ୟ ଵିରୋଧି ଦଳ ବିଜେଡି ଦଳ ପାଇଁ ଏହା ଏସିଡ ଟେଷ୍ଟ ଭଳି ହୋଇଛି । ଦଳ ସରକାରରୁ ଗଲା ପରେ ଦଳ ମଧ୍ୟରେ ତୀବ୍ର ଅନ୍ତର୍ଦ୍ୱନ୍ଦ ଦେଖିବାକୁ ମିଳିଛି । ଦଳରୁ ବହୁ ବରିଷ୍ଠ ନେତା ମୁହଁ ଫେରାଇ ନେଇଥିଲା ବେଳେ ଦଳ ମଧ୍ୟରେ ଅସମ୍ଭବ ଅବିଶ୍ୱାସର ବାତାଵରଣ ଦେଖିବାକୁ ମିଳିଛି । ଦଳ ଏହି ନିର୍ବାଚନ ଜିତିବା ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଦଳ ନୂଆପଡା ଉପନିର୍ବାଚନରେ ପରାଜିତ ହେଲେ ଦଳର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବା ବି ଅସମ୍ଭବ ନୁହେଁ ।

ନିର୍ବାଚନ ପୂର୍ବରୁ ବିଭିନ୍ନ ଚର୍ଚ୍ଚାକୁ ପଛରେ ପକାଇ ବିଜେଡି ବିଗତ ଦିନର ସବୁ ନିର୍ବାଚନକୁ ଯେଭଳି ଗୁରୁତ୍ୱ ଦେଇ ଲଢ଼େ ସେଇଭଳି ଢଙ୍ଗରେ ଲଢ଼ିବା ଦେଖିବାକୁ ମିଳୁଛି । ଦଳର ବଡ଼ରୁ ଛୋଟ ସବୁ ନେତା ପ୍ରାୟ ନୂଆପଡ଼ାରେ ଡେରା ପକାଇ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । ଦଳ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି ଏହି ନିର୍ବାଚନ ପାଇଁ । ଆଉ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଦଳର ସର୍ବମାନ୍ୟ ନେତା ନବୀନ ପଟ୍ଟନାୟକଙ୍କ ନାଁ । ଯାହା ଦଳର ନେତାଙ୍କ ଠାରୁ ନେଇ କର୍ମୀଙ୍କୁ ଉତ୍ସାହିତ କରିଛି ।

ଗ୍ରାମାଞ୍ଚଳରୁ ନେଇ ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ନବୀନଙ୍କ ଲୋକପ୍ରିୟତା ଥିଲା ବେଳେ ନବୀନ ପ୍ରଚାର ମଇଦାନକୁ ଓହ୍ଲାଇଲେ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି କେବଳ ବିଜେଡି ନୁହେଁ ବିଜେପି ଓ କଂଗ୍ରେସ ମଧ୍ୟ ଜାଣିଛି ।

ନବୀନ ପ୍ରଚାରକୁ ଓହ୍ଲାଇଲେ କି ଆଭିମୁଖ୍ୟ ଗ୍ରହଣ କରିବେ ତାହା ବିଜେପିକୁ ଚିନ୍ତାରେ ପକାଇ ଦେଇଛି । ବେଶ କିଛିଦିନ ହେଲା ନୀରବତା ଅବଲମ୍ବନ କରୁଥିବା ନବୀନ ପ୍ରଚାର ମଇଦାନରେ ଲମ୍ଫ ମାରିବା ନିଶ୍ଚିତ ରୂପେ ବିଜେଡି ପାଇଁ ଲାଭପ୍ରଦ ହେଲା ବେଳେ ବିଜେପିର କ୍ଷତି କରିବ । ବିଜେପି ନେତା ନବୀନଙ୍କୁ ନେଇ ଯେତେ ବିବୃତି ଦେଲେ ମଧ୍ୟ ତମାମ ଦଳକୁ ଯେ ନବୀନଙ୍କ ଚିନ୍ତା ଘାରିଛି ଓ ମନରେ ଛନକା ପୁରାଇ ଚିନ୍ତା ବଢ଼ାଇ ଦେଇଛି ଏହା କିନ୍ତୁ ରାଜ୍ୟବାସୀ ଜାଣି ସାରିଛନ୍ତି ।

The post ନୂଆପଡା ଉପନିର୍ବାଚନ:ନବୀନଙ୍କୁ ନେଇ ଚିନ୍ତାରେ ବିଜେପି ! appeared first on orissaleads.

News