ଖଣି ଅଞ୍ଚଳରେ ଫୁଟୁଛି ଗୁଳି: ମାଫିଆ ସକ୍ରିୟ, ପୋଲିସ ନିଷ୍କ୍ରିୟ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଖଣି ଅଞ୍ଚଳ ଅଶାନ୍ତ ହୋଇ ପଡିଛି । ଖଣି ମାଫିଆଙ୍କ ଆତଙ୍କରାଜରେ ସାଧାରଣ ଜନତା ଭୟରେ ଦିନ କାଟୁଛନ୍ତି । ଖଣି ମାଫିଆ ସକ୍ରିୟ ହୋଇ ପଡ଼ିଥିଲା ବେଳେ ମାଫିଆ ନିଷ୍କ୍ରିୟ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ଖଣି ମାପିଆଙ୍କୁ ପ୍ରତିରୋଧ କଲେ ବନ୍ଧୁକରୁ ଗୁଳି ଫୁଟୁଛି । ବନ୍ଧୁକର ଭୟ ଦେଖାଇ ମାଫିଆ ଖଣିରୁ କୋଟି କୋଟି ଟଙ୍କାର କ୍ରୋମାଇଟ ଲୁଟ କରୁଛନ୍ତି । ମାଫିଆ ଏକ ସିଣ୍ଡିକେଟ ଗଢି ବେଧଡ଼କ ଭାବେ ଖଣି ଅଞ୍ଚଳରୁ କ୍ରୋମାଇଟ ଲୁଟ କରୁଛନ୍ତି । ମାଫିଆ ମାଲେମାଲ ହେଉଥିଲା ବେଳେ ସରକାର ବିପୁଳ ରାଜସ୍ୱ ହରାଉଛନ୍ତି । ହେଲେ ଏ ନେଇ ପୋଲିସ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ହାତ ବାନ୍ଧି ବସିବା ମାଫିଆଙ୍କ ଏଭଳି ଆତଙ୍କରାଜକୁ ଅଧିକ ପ୍ରୋତ୍ସାହିତ କରୁଛି । ଗତ କାଲି ରାତିରେ ଏଭଳି ଘଟଣା ଘଟିଛି କାଳିଆପାଣି ଖଣି ଅଞ୍ଚଳରେ । ଚର୍ଚ୍ଚା ଅନୁଯାୟୀ ରାତିରେ ଏକ ଖଣିରୁ ମାଫିଆ କ୍ରୋମାଇଟ ଲୁଟ କରୁଥିଲା ବେଳେ କିଛି ସୁରକ୍ଷା କର୍ମୀ ଏହାର ବିରୋଧ କରିବାରୁ ମାଫିଆ ମାନେ ବନ୍ଧୁକରୁ ଗୁଳି ଫୁଟାଇ ସୁରକ୍ଷାକର୍ମୀଙ୍କୁ ଭୟଭୀତ କରିଥିଲେ । ଗୁଳି ଫୁଟିବାରୁ ସୁରକ୍ଷା କର୍ମୀ ସେଠାରୁ ଜୀବନ ବିକଳରେ ପଳାଇ ଯାଇଥିଲେ । ଏଠାରେ ପ୍ରଶ୍ନ ଉଠେ ଏହି ମାଫିଆଙ୍କ ସୁରକ୍ଷା କବଚ କିଏ ? କାହା ସୁରକ୍ଷା ବଳୟରେ ରହି ମାଫିଆ କୋଟି କୋଟି ଟଙ୍କାର କ୍ରୋମାଇଟ ଲୁଟ କରୁଛନ୍ତି । କ୍ରୋମାଇଟ ଚୋରିରୁ ମିଳୁଥିବା ବିପୁଳ ଅର୍ଥର ସିଂହ ଭାଗ କାହା ନିକଟକୁ ଯାଉଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଥିଲା ବେଳେ ସରକାର ଏ ନେଇ ପଦକ୍ଷେପ ନେବେ ନା ନିରବ ରହିବେ ତାହା ଏବେ ଖଣି ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।
The post ଖଣି ଅଞ୍ଚଳରେ ଫୁଟୁଛି ଗୁଳି: ମାଫିଆ ସକ୍ରିୟ, ପୋଲିସ ନିଷ୍କ୍ରିୟ appeared first on orissaleads.
News