ଓଡ଼ିଶା: ଆନ୍ତର୍ଜାତିକ ଶ୍ରମିକ ଦିବସ ୨୦୨୫ ପାଳନ

ଭୁବନେଶ୍ୱର: ଦଶନ୍ଧି ଦଶନ୍ଧି ଧରି ଦେଶର ପ୍ରଗତିର ଚକ୍ରକୁ ଶ୍ରମିକମାନେ ଅବିରତ ଭାବେ ଚଳେଇ ଆସୁଛନ୍ତି ଓ ବିକାଶରେ ନିଜର ଯୋଗଦାନ ନିରବଚ୍ଛିନ୍ନ ଭାବେ ଦେଇଆସୁଛନ୍ତି। ଦାୟିତ୍ୱ ନେବାର ପ୍ରଥମ ଦିନରୁ ହିଁ ଆମ ସରକାର ରାଜ୍ୟର ସବା ତଳ ପାହଚରେ ଥିବା ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରୁଛି। ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ସ୍ଥାନୀୟ ଓ.ୟୁ.ଏ.ଟି କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ।

ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଦୁଇଟି ପ୍ରମୁଖ ଶ୍ରମିକ ପ୍ରତୀକ୍ଷା ସ୍ଥାନ- ଡୁମ୍‌ଡୁମା ଏବଂ କଳ୍ପନା ଛକଠାରେ ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ର ଉଦ୍‌ଘାଟନ କରିଥିଲେ। ଏହି ପ୍ରତୀକ୍ଷା କେନ୍ଦ୍ରମାନଙ୍କରେ ଶ୍ରମଜୀବୀମାନଙ୍କ ପାଇଁ ସାମୟିକ ଆଶ୍ରୟ ସ୍ଥଳର ସୁବିଧା ସହିତ ପାନୀୟ ଜଳ, ଶୌଚାଳୟ ଓ ପାର୍କ ଆଦିର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ କଟକ, ରାଉରକେଲା, ସମ୍ବଲପୁର, କେନ୍ଦୁଝର, ବ୍ରହ୍ମପୁର ଭଳି ଅନ୍ୟ ସହରାଞ୍ଚଳ ଗୁଡିକରେ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ନିର୍ମାଣ କରାଯିବ । ଏହି କେନ୍ଦ୍ର ଗୁଡିକ ଶ୍ରମଜୀବୀମାନଙ୍କ ଗରିମା ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ବିଭିନ୍ନ ସେବାକୁ ଶ୍ରମିକମାନଙ୍କ ହାତ ପାହାନ୍ତାରେ ପହଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ ‘ଓଡ଼ିଶା ଶ୍ରମିକ ସାଥୀ ମୋବାଇଲ୍ ଆପ୍‌’ର ଶୁଭାରମ୍ଭ କରିଥିଲେ। ଏହାଦ୍ୱାରା ଶ୍ରମିକମାନେ ସହଜରେ ଏବଂ ସୁବିଧାରେ ଘରେ ବସି ବିଭିନ୍ନ ସେବା ପାଇ ପାରିବେ । ଏହି ମୋବାଇଲ୍ ଆପ୍, ଅନ୍‌ଲାଇନ୍ ଶ୍ରମିକ ପଞ୍ଜୀକରଣ, ନବୀକରଣ ତଥା ସହାୟତା ନିମନ୍ତେ ଆବେଦନ ଆଦି ସେବା ପାଇବା ଦିଗରେ ନିର୍ମାଣ ଶ୍ରମିକମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ ।

ଏଥି ସହିତ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଶିକ୍ଷା ସହାୟତା, ବିବାହ ସହାୟତା, ପ୍ରସୂତିକାଳୀନ ସହାୟତା, ମୃତ୍ୟୁକାଳୀନ ସହାୟତା ଓ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ବଣ୍ଟନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ରାଜ୍ୟରେ ଥିବା ବିଭିନ୍ନ ସଂଗଠିତ ତଥା ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନଙ୍କ ଆଇନଗତ ଅଧିକାର ଓ ସାମାଜିକ ସୁରକ୍ଷା ଦିଗରେ ସର୍ବଦା ଯତ୍ନବାନ ହୋଇ କାର୍ଯ୍ୟ କରି ଆସୁଛି।

କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଅଭିଭାଷଣ ରଖିଥିଲେ।

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଶ୍ରମ ଆୟୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

The post ଓଡ଼ିଶା: ଆନ୍ତର୍ଜାତିକ ଶ୍ରମିକ ଦିବସ ୨୦୨୫ ପାଳନ appeared first on News Room Odisha.

News