ସିଏମଜିଆଇ ଦ୍ୱାରା ‘ଓଡ଼ିଶା ଲୋକ ସେବା ଅଧିକାର ଆଇନ, ୨୦୧୨’ ର ପୁନରାବଲୋକନ

ଭୁବନେଶ୍ୱର: ‘ଓଡ଼ିଶା ଲୋକ ସେବା ଅଧିକାର ଆଇନ, ୨୦୧୨’ ଉପରେ ଏକ ପୁନରାବଲୋକନ ସଭା ଆଜି ରାଜ୍ୟ ସମ୍ମିଳନୀ କେନ୍ଦ୍ର, ଲୋକସେବା ଭବନ, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରର ୩୨ଟି ବିଭାଗର ର ନୋଡାଲ୍ ଅଧିକାରୀ ଯୋଗ ଦେଇ ‘ଓଡ଼ିଶା ଲୋକ ସେବା ଅଧିକାର ଆଇନ ୨୦୧୨’ ର କାର୍ଯ୍ୟାନ୍ବୟନ ଓ ଅଗ୍ରଗତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସିଏମଜିଆଇ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିନୀତ ଭାରଦ୍ୱାଜ ଏହି ସଭାର ଅଧ୍ୟକ୍ଷତା କରିଥିଲେ।
ଏହି ସଭାରେ ଏପ୍ରିଲ୍ ୨୦୨୪ ରୁ ୨ ମଇ ୨୦୨୫ ପର୍ଯ୍ୟନ୍ତ ଓଡ଼ିଶା ଲୋକ ସେବା ଅଧିକାର ଆଇନ ଅନ୍ତର୍ଗତ ଆବେଦନ ବିଷୟରେ ତର୍ଜମା, କେନ୍ଦ୍ରୀୟ ନିରୀକ୍ଷଣ ପ୍ରଣାଳୀ (ସିଏମଏସ) ଡ୍ୟାସବୋର୍ଡ ସହ ସେବା ସମ୍ମିଳନ, ସମସ୍ତ ଆବେଦକଙ୍କୁ ଗ୍ରହଣ ପ୍ରମାଣପତ୍ର ଜାରି କରିବା ବ୍ୟବସ୍ଥା ସହ ଓଡ଼ିଶା ଲୋକ ସେବା ଅଧିକାର ଆଇନ ଅନ୍ତର୍ଗତ ସେବା ଯୋଗ/ବିଲୋପ ବିଷୟରେ ଆଲୋଚନା ହୋଇଥିଲା। ଏନଆଇସି, ଓକାକ ଓ ସିଏମଜିଆଇ ର ପ୍ରକ୍ରିୟା ପୁନଃସଂରଚନା ଓ ପ୍ରାଯୁକ୍ତିକ ଦଳମାନେ ସେବା ପ୍ରଦାନକୁ ଅଧିକ କ୍ଷମତାଶୀଳ ବନାଇବା ପାଇଁ କାର୍ଯ୍ୟଯୋଜନା ଉପସ୍ଥାପନ କରିଥିଲେ।
ଏହା ସହିତ, ଓଡ଼ିଶା ଲୋକ ସେବା ଅଧିକାର ଆଇନ ଅନ୍ତର୍ଗତ ସେବାଗୁଡିକ ପାଇଁ ମାନକ କାର୍ଯ୍ୟ ପ୍ରଣାଳୀ (ଏସଓପି) ତିଆରି ଏବଂ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ, ରାଜ୍ୟ ଗ୍ରାମୀଣ ବିକାଶ ସଂସ୍ଥା ଓ ଉଚ୍ଚ ଶିକ୍ଷା ବିଭାଗ ସହଯୋଗରେ ଏନଏସଏସ ଦ୍ୱାରା ସଚେତନତା ଅଭିଯାନ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।
ଏହି ଅବସରରେ ସିଏମଜିଆଇ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିନୀତ ଭାରଦ୍ୱାଜ କହିଥିଲେ ଯେ ରାଜ୍ୟ ସରକାର ଓଡ଼ିଶା ଲୋକ ସେବା ଅଧିକାର ଆଇନ ଅନ୍ତର୍ଗତ ସମସ୍ତ ସେବାଗୁଡିକୁ ସମୟୋପଯୋଗୀ ଓ ଦାୟିତ୍ୱପୂର୍ଣ୍ଣ ଭାବେ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ସମନ୍ୱୟ ଓ ଡିଜିଟାଲ୍ ଅବସ୍ଥାପନା ବୃଦ୍ଧି କୁ ଗୁରୁତ୍ୱ ଦେଉଛନ୍ତି।
ସିଓ୍ବାଇଏସଡି ର ମେଣ୍ଟର ତଥା ପୂର୍ବତନ ସୂଚନା ଆୟୁକ୍ତ ଜଗଦାନନ୍ଦ ଓଡ଼ିଶା ଲୋକ ସେବା ଅଧିକାର ଆଇନ ବିଷୟରେ ନାଗରିକଙ୍କୁ ସଚେତନ କରିବା ନିମନ୍ତେ ଆଇଇସି କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଆଲୋକପାତ କରୁଥିଲେ। ରାଜ୍ୟରେ ଓଡ଼ିଶା ଲୋକ ସେବା ଅଧିକାର ଆଇନ ର କାର୍ଯ୍ୟାନ୍ବୟନ ପାଇଁ ସଂସାଧନ ସମର୍ଥନ ସଂସ୍ଥା ଭାବେ ସିଓ୍ବାଇଏସଡି ଆଗାମୀ ଦିନରେ ଅଧିକ ରୁ ଅଧିକ ସ୍ବେଚ୍ଛାସେବୀ ଓ ସିଭିଲ୍ ସୋସାଇଟି ସଂଗଠନ ସହ ସହଯୋଗ କରି ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଦେବବ୍ରତ ମଲ୍ଲିକ, ସିଏମଜିଆଇ ର ପ୍ରକଳ୍ପ ସଂଯୋଜକ ପିନାକି ମହାନ୍ତି, ସିଏମଜିଆଇ ର ଓଏସଡି ସମରେନ୍ଦ୍ର ଶଡଂଗୀ, ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଅଂଶୁମାନ ରଥ ତଥା ସିଏମଜିଆଇ ଓ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅନ୍ୟାନ୍ୟ କାର୍ଯ୍ୟାଧିକାରୀମାନେ ଉପସ୍ଥିତ ଥିଲେ।
The post ସିଏମଜିଆଇ ଦ୍ୱାରା ‘ଓଡ଼ିଶା ଲୋକ ସେବା ଅଧିକାର ଆଇନ, ୨୦୧୨’ ର ପୁନରାବଲୋକନ appeared first on News Room Odisha.
News