ପାକିସ୍ତାନ ଯୁଦ୍ଧ ବିରତିର ଉଲ୍ଲଙ୍ଘନ କରିଛି: ଭାରତ

ଓଡ଼ିଶା ଲିଡ୍ସ(ବ୍ୟୁରୋ):ପାକିସ୍ତାନ ପକ୍ଷରୁ ଯୁଦ୍ଧ ବିରତି ଉଲ୍ଲଙ୍ଘନ କରାଯାଇଥିବା ଭାରତ ପ୍ରକାଶ କରିଛି। ଏହାର ଦୃଢ ଜବାବ ଦେବାକୁ ସୁରକ୍ଷା ବାହିନୀକୁ ସ୍ବାଧୀନତା ଦିଆଯାଇଛି ବୋଲି ମଧ୍ୟ କହିଛି ଭାରତ । ସଂଧ୍ୟା ୫ଟାରେ ଉଭୟ ଦେଶ ଅସ୍ତ୍ର ବିରତି ପାଇଁ ସହମତ ହୋଇଥିଲା ବେଳେ ମାତ୍ର କିଛି ଘଣ୍ଟା ଅନ୍ତରରେ ପାକିସ୍ତାନ ଏହାର ଉଲ୍ଲଘନ କରିଛି ।

ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ପକ୍ଷରୁ ଯୁଦ୍ଧବିରତି ସହମତିର ଉଲ୍ଲଙ୍ଘନ କରାଯାଇଛି ଓ ଏଥିପାଇଁ ପାକିସ୍ତାନ ହିଁ ଦାୟୀ ବୋଲି କହିଛନ୍ତି । ଏହାର ଦୃଢ ଜବାବ ଦେବାକୁ ସୁରକ୍ଷା ବାହିନୀକୁ ସ୍ବାଧୀନତା ଦିଆଯାଇଛି ବୋଲି ମଧ୍ୟ ସେ କହିଛନ୍ତି । ପାକିସ୍ତାନ ପରିସ୍ଥିତିର ଗମ୍ଭୀରତାକୁ ବୁଝିବା ଦରକାର ବୋଲି ମଧ୍ୟ ମିଶ୍ରି କହିଛନ୍ତି ।

“ଅପରେସନ ସିନ୍ଦୂର” ଜରିଆରେ ଭାରତ ପାକିସ୍ତାନ ଆତଙ୍କୀ ଆଡ୍ଡା ଉପରେ ହମଲା କରିଥିବା ବେଳେ ପାକିସ୍ତାନ କିନ୍ତୁ ସାଧାରଣ ଲୋକଙ୍କ ଉପରେ ଗୁଳିମାଡ କରିବା ସହିତ ଡ୍ରୋନ ହମଲା କରୁଥିଲା । ଯାହାର ଜବାବ ଭାରତୀୟ ସେନା ଦେଉଥିଲେ ବୋଲି ଶ୍ରୀ ମିଶ୍ରି ପ୍ରକାଶ କରିଛନ୍ତି ।

ଅନ୍ୟ ପକ୍ଷରେ ପାକିସ୍ତାନର ଏପରି ଦୋମୁହାଁ ନୀତି ଯୋଗୁଁ ଏକ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି କଥା ସେ ଘୋଷଣା କରି ବଡ଼ଭାଇ ପଣ ଦେଖାଇ କ୍ରେଡିଟ ନେବାକୁ ଉଦ୍ୟମ କରିଥିଲେ ଟ୍ରମ୍ପ। ଏବେ ପାକିସ୍ତାନ ତାଙ୍କ ସହ ବିଶ୍ବାସଘାତକତା କରିଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ମାତ୍ର ୩ ଘଣ୍ଟା ପରେ ଭାଙ୍ଗିଯାଇଛି। ପାକିସ୍ତାନ ପୁଣି ଭାରତ ଉପରେ ଡ୍ରୋନ ଆକ୍ରମଣ ଆରମ୍ଭ କରିଛି। ଏବେ ଚୀନ ଖୋଲାଖୋଲି ପାକିସ୍ତାନ ସପକ୍ଷରେ ଆସିଯାଇଛି। ଚୀନ କହିଛି ଯେ ସେ ପାକିସ୍ତାନର ସାର୍ବଭୌମତ୍ବ ଓ ଅଖଣ୍ଡତା ପଛରେ ରହିଛି। ଏହାର ରକ୍ଷା ପାଇଁ ପାକିସ୍ତାନକୁ ସବୁ ପ୍ରକାରର ସହାୟତା ପ୍ରଦାନ କରାଯିବ। ଚୀନର ଏହି ସମର୍ଥନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛି ପାକିସ୍ତାନ।

The post ପାକିସ୍ତାନ ଯୁଦ୍ଧ ବିରତିର ଉଲ୍ଲଙ୍ଘନ କରିଛି: ଭାରତ appeared first on orissaleads.

News