ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କ ପାଇଁ ୧୧.୨୫% ସଂରକ୍ଷଣ- କ୍ୟାବିନେଟ ନିଷ୍ପତ୍ତି

ଓଡ଼ିଶା ଲିଡ୍ସ(ବ୍ୟୁରୋ):ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ନିଷ୍ପତ୍ତି ଅନୁଯାୟୀ ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ । ପୂର୍ବରୁ ରାଜ୍ୟରେ ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ(ଏସଇବିସି)ଙ୍କ ନିମନ୍ତେ ସରକାରୀ ଚାକିରିରେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଥିଲା । ହେଲେ ଉଚ୍ଚଶିକ୍ଷା କ୍ଷେତ୍ରରେ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିଲା ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ପଛୁଆ ବର୍ଗଙ୍କୁ ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ ସମେତ ମୋଟ ୬ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଏହି ଅବସରରେ ଉଚ୍ଚଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାରେ ପୂର୍ବ ସରକାରଙ୍କ ଅବହେଳା ଓ ଜନବିରୋଧୀ ନୀତିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମାଲୋଚନା କରିଛନ୍ତି ।

ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟର ସାମାଜିକ ଓ ଆର୍ଥକ ପଛୁଆ ବର୍ଗଙ୍କୁ ୧୧.୨୫% ସଂରକ୍ଷଣ ଦେବାକୁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଅନ୍ୟବର୍ଗର ଛାତ୍ରଛାତ୍ରୀଙ୍କୁ ଯେଭଳି ସଂରକ୍ଷଣ ମିଳୁଥିଲା ତାହା ବଜାୟ ରହିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଅନୁସୂଚିତ ଜାତି ବର୍ଗଙ୍କୁ ୧୬.୨୫%, ଅନୁସୂଚିତ ଜନଜାତିଙ୍କୁ ୨୨.୫୦%, ଭିନ୍ନକ୍ଷମଙ୍କୁ ୫% ଓ ପୂର୍ବତନ ସେନା ପରିବାରଙ୍କୁ ୧ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

The post ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କ ପାଇଁ ୧୧.୨୫% ସଂରକ୍ଷଣ- କ୍ୟାବିନେଟ ନିଷ୍ପତ୍ତି appeared first on orissaleads.

News