ଭିନ୍ନ ଜଣେ ମହିଳା,ଜୀବନ ସଂଗ୍ରାମରେ ବିଜୟିନୀ ଯାଜପୁରର ସୁକୁମାରୀ

ଓଡ଼ିଶା ଲିଡ୍ସ(ଯାଜପୁର): ଜୀବନ କାହା ପାଇଁ ଖୁବ ସରଳ ତ ଆଉ କାହା ପାଇଁ ଖୁବ ଅଙ୍କାବଙ୍କା ଆଉ କଠିନ । ପ୍ରାଚୁର୍ଯ୍ୟ ଭରା ଜୀବନ ବଞ୍ଚୁଥିବା ଲୋକଟିଏ ସଫଳ ହେବା ଓ ନିଜକୁ ପ୍ରତିଷ୍ଠିତ କରିବା ଖୁବ ସହଜ । ସବୁ ସୁବିଧା ସୁଯୋଗ ଥାଇ ସଫଳ ହେଉଥିବା ମଣିଷଙ୍କ ଉଦାହରଣ ଅନେକ ଅଛି । ହେଲେ ଜୀବନରେ ଆସୁଥିବା କଠିନ ସମୟ ଓ ଅଙ୍କାବଙ୍କା ରାସ୍ତାକୁ ଧର୍ଯ୍ୟର ସହିତ ଅତିକ୍ରମ କରି ସଫଳ ହେବା ଓ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିବାର ନଜିର ବହୁତ କମ ଦେଖିବାକୁ ମିଳେ । ଜୀବନର ଅତି କଠିନ ପରିସ୍ଥିତିରୁ ନିଜକୁ ମୁକୁଳାଇ ନେଇ ସଫଳ ହେବା ସହିତ ନିଜେ ଲୁହ ପିଇ ପରିବାର ମୁହଁରେ ହସ ଫୁଟାଇବା ଯେ କେତେ କଷ୍ଟ ତାକୁ ଯିଏ ଅଙ୍ଗେ ଲିଭାଇଛି ସେ ଜାଣିଛି । ସେଇ ଭଳି ଜଣେ ସଫଳ ମହିଳା ହେଲେ ଯାଜପୁର ସହର ବଡ଼ ବଜାରର ପରିଚିତ ଫୁଲ ବ୍ୟବସାୟୀ ସୁକୁମାରୀ ରଣା ।

ଜୀବନର ଝଡ଼ ଝଞ୍ଜାକୁ ଧର୍ଯ୍ୟର ସହିତ ଅତିକ୍ରମ କରି ସେ ଆଜି ଜଣେ ସଫଳ ଗୃହିଣୀ, ଜଣେ ସଫଳ ମା’ ହେବା ସହିତ ଜଣେ ସଫଳ ବ୍ୟବସାୟୀ ହୋଇ ପାରିଛନ୍ତି । ଏଭଳି ଜଣେ ମହିଳା ଆଜି ସମୟରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଆଜକୁ ପ୍ରାୟ ୩୨ ବର୍ଷ ହେଲା ସେ ନିଜ ଘର ସମ୍ମୁଖରେ ଫୁଲ ବ୍ୟବସାୟ କରୁଛନ୍ତି ସେ । ବିଭିନ୍ନ ପ୍ରକାରର ଫୁଲ ତାଙ୍କ ନିକଟରେ ମହଜୁଦ ଥାଏ, ଆଉ ତାରି ଭିତରେ ବସି ବ୍ୟବସାୟ କରନ୍ତି କର୍ମଚଞ୍ଚଳ ସୁକୁମାରୀ । ଦିନ ଯାକର ଖଟଣି ସାରି ରାତିରେ ବିଶ୍ରାମ ନେଇ ବଡି ସକାଳୁ ଉଠି ନିଜ ଘର କାମ ସାରି ସେ ଖୋଲନ୍ତି ତାଙ୍କ ଫୁଲ ଦୋକାନ । ଖରାବେଳେ କିଛି ସମୟ ଟିକେ ଫୁରୁସତ ମେଳେ, ପ୍ରାୟ ରାତି ୧୧ ଟା ପର୍ଯ୍ୟନ୍ତ ଫୁଲ ଗୁନ୍ଥିବା ବିକ୍ରି କରିବା ଧରାବନ୍ଧା କାମ ତାଙ୍କର । ସହରର ଚନ୍ଦ୍ରମଣି ରଣାଙ୍କୁ ବିବାହ କରିଥିଲେ ସୁକୁମାରୀ । ଆଖିରେ ମେଞ୍ଚାଏ ସ୍ୱପ୍ନ ନେଇ ସେ ବୋହୁ ସାଜି କେନ୍ଦୁଝରରୁ ଯାଜପୁରର ଚନ୍ଦ୍ରମଣୀଙ୍କ ପରିବାରକୁ ଆସିଥିଲେ । ବିବାହର ମାତ୍ର ତିନିବର୍ଷ ପରେ ଚମ୍ପା ଫୁଲ ତୋଳୁଥିଲା ବେଳେ ଚନ୍ଦ୍ରମଣୀ ଗଛରୁ ପଡି ଗୁରୁତର ଆହତ ହେଲେ । ଚଡକ ପଡିଲା ସୁକୁମାରୀଙ୍କ ମୁଣ୍ଡରେ । ଧାର ଉଦ୍ଧାର କରି ସ୍ୱାମୀଙ୍କୁ ସୁସ୍ଥ କଲେ ସୁକୁମାରୀ । ସୁସ୍ଥ ସିନା ହେଲେ କିନ୍ତୁ ଭଲରେ କିଛି କାମ କରି ପାରିଲେ ନାହିଁ ଚନ୍ଦ୍ରମଣି । ସେତେ ବେଳକୁ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ହୋଇଥିଲେ ମଧ୍ୟ ସେ ଥିଲା ଜଣେ ଭିନ୍ନକ୍ଷମ ଝିଅ । କଠିନ ସମୟରେ ଜୀବନ ସଂଗ୍ରାମ ଆରମ୍ଭ କରିଥିଲେ ସୁକୁମାରୀ । ନ ହାରିବାର ପଣ କରି ସ୍ୱାମୀଙ୍କ ଫୁଲ ଦୋକାନର ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ଫୁଲ ବ୍ୟବସାୟ କରିଥିଲେ । କଠିନ ପରିଶ୍ରମ ଭିତରେ ନିଜ ପରିବାରକୁ ବଞ୍ଚାଇ ପରିବାର ମୁହଁରେ ହସ ଫୁଟାଇବାକୁ ପଣ କରିଥିବା ଲୋକଟି ହାରିଯାଆନ୍ତା ବା କିଭଳି । ନିଜ ଭଙ୍ଗା ଦଦରା କୁଡ଼ିଆ ଘର ସମ୍ମୁଖରେ ଥିବା ଫୁଲ ଦୋକାନ ଥିଲା ତାଙ୍କ ପାଇଁ ଆଶା, ଭରସା ଓ ବିଶ୍ୱାସର ମନ୍ଦିର ।

ସକାଳରୁ ଡେରି ରାତି ପର୍ଯ୍ୟନ୍ତ ଫୁଲ ବ୍ୟବସାୟ ସାଙ୍ଗକୁ ପରିବାରର ବୋଝ । ସବୁକୁ ହସି ହସି ସମ୍ମୁଖୀନ ହୋଇ ବ୍ୟବସାୟ ବଢ଼ାଇ ଥିଲେ । ସମୟ କ୍ରମେ ତାଙ୍କର ଆଉ ଦୁଇଟି ଝିଅ ଓ ଗୋଟିଏ ପୁଅ ଜନ୍ମ ହୋଇଛନ୍ତି । ଆଜି ଦୁଇଝିଅ ବେଶ ଭଲ ଜାଗାରେ ବିବାହ କରିଛନ୍ତି । ପୁଅ ସ୍ନାତକ ଶିକ୍ଷା ଶେଷ କରିଛି । ନୁଆଁଣିଆ ଚାଳଘର ଆଜି ପରିବର୍ତ୍ତନ ହୋଇଛି । ହେଲେ ଆଜିବି ସକାଳୁ ଡେରି ରାତି ପର୍ଯ୍ୟନ୍ତ ପୁଲ ଗୁନ୍ଥିବାରେ ଅବହେଳା କରି ନାହାନ୍ତି ସୁକୁମାରୀ । ତାଙ୍କ ହାତ ଗୁନ୍ଥା ଫୁଲର ମାଳ ଦେବା ଦେବୀଙ୍କ ଗଳାରେ ଶୋଭା ପାଉଛି । ତାଙ୍କୁ ତାଙ୍କ ବିଷୟରେ ପଚାରିଲା ବେଳେ କୁହନ୍ତି ଭଗବାନ ମୋର ପରୀକ୍ଷା ନେଇଛନ୍ତି ତା ସହିତ ମୋତେ ସଫଳ ବି କରିଛନ୍ତି । ସବୁ ତାଙ୍କ ଦୟା, ତାଙ୍କ କରୁଣା । ତାଙ୍କ ଦୟାରୁ ହାରି ନାହିଁ । ଦିନ ଥିଲା କିଛି ଲୋକଙ୍କୁ ସହାୟତା ମାଗିଥିଲି ହେଲେ ମିଳିଲାନାହିଁ । ହେଲେ ଏବେ ଆଉ କାହାକୁ ସହାୟତା ମାଗୁନାହିଁ । ଭଗବାନ ମୋ କଠିନ ପରିଶ୍ରମର ଫଳ ମୋତେ ଦେଇଛନ୍ତି । ଖୁବ ଖୁସିରେ ଅଛି । ରାଜ୍ୟ ବାହାରୁ, ସ୍ଥାନୀୟ ଅଞ୍ଚଳରୁ ଫୁଲ ଆଣୁଛି, ବ୍ୟବସାୟ କରୁଛି । ମୋ ରୋଜଗାର ମୋତେ ବେଶ ଆତ୍ମତୃପ୍ତି ଦେଉଛି । ହସଖୁସିରେ ରହୁଛି ବୋଲି କାମ ପରେ କେତେବେଳେ ନିଦ ହୋଇଯାଉଛି ଜାଣି ପାରୁନାହିଁ । ସବୁ ବେଳେ ଫୁଲ ଗୁନ୍ଥିଲା ବେଳେ ଭଗବାନଙ୍କୁ ସ୍ମରଣ କରେ । ସେ ଆଜି ମୋ ଡାକ ଶୁଣିଛନ୍ତି । ହାତ ଗୋଡ଼ ଚାଲୁଥିଲା ପର୍ଯ୍ୟନ୍ତ ଫୁଲ ଗୁନ୍ଥିବି । ଯାହା ପ୍ରଭୁଙ୍କ ସେବାରେ ଲାଗିବ ।

The post ଭିନ୍ନ ଜଣେ ମହିଳା,ଜୀବନ ସଂଗ୍ରାମରେ ବିଜୟିନୀ ଯାଜପୁରର ସୁକୁମାରୀ appeared first on orissaleads.

News