ଜୁନ ୬ ତାରିଖକୁ କଳା ଦିବସ ଭାବେ ପାଳିବ ସୁକିନ୍ଦା ବିଜେଡି
ଓଡ଼ିଶା ଲିଡ୍ସ(ଯାଜପୁର): ନିର୍ବାଚନ ପରଠାରୁ ଅଶାନ୍ତ ହୋଇ ଉଠିଥିବା ସୁକିନ୍ଦାରେ ଚୋରୀ, ଡକାୟତି, ଲୁଟ, ଆକ୍ରମଣ ଏବେ ସୀମା ଟପିଛି । ସୁକିନ୍ଦାରେ ଧନଜୀବନ ଏବେ ଅସୁରକ୍ଷିତ, ରାଜନୈତିକ ପ୍ରତିହିଂସାରେ ରକ୍ତମୁଖା ହୋଇଛନ୍ତି ବିଜେପି କର୍ମୀ ମାନେ । ଶ୍ରମିକ, ସାମ୍ବାଦିକ, ମହିଳା, ସାଧାରଣ ଲୋକଙ୍କ ସହିତ ବିଜେଡିର କର୍ମକର୍ତ୍ତାଙ୍କୁ ପ୍ରତିଦିନ ଆକ୍ରମଣ କରାଯାଉଛି। ଆତଙ୍କରାଜକୁ ନେଇ ସୁକିନ୍ଦାବାସୀଙ୍କ ଧର୍ଯ୍ୟ ଚ୍ୟୁତି ଘଟିଲାଣି । ଗତ ୨୨ ତାରିଖ ଦିନ ଏହାର ପ୍ରତିବାଦରେ ଖଣି ଅଞ୍ଚଳକୁ ବନ୍ଦ ଡାକରା ଦିଆ ଯାଇଥିଲା । ଯାହାକୁ ସବୁ ବର୍ଗର ଲୋକେ ଅଭୂତପୂର୍ବ ସମର୍ଥନ ଦେଇଥିଲେ ।
ସୁକିନ୍ଦାରେ ଶାନ୍ତି ଫେରାଇ ଆଣିବା ପାଇଁ ବିଜେଡି ପକ୍ଷରୁ ଜୁନ ୬କୁ କଳା ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ସହ ୬ ତାରିଖ ଦିନ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ । ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସମସ୍ତ ୨୫ ପଞ୍ଚାୟତର ବିଜେଡି କର୍ମକର୍ତ୍ତାଙ୍କର ଏକ ଜରୁରୀ ବୈଠକ ଆୟୋଜିତ ହୋଇ ଯାଇଛି । ବୈଠକରେ ସମସ୍ତ ପଞ୍ଚାୟତର ଲୋକ ପ୍ରତିନିଧିଙ୍କ ସହିତ ବିଜେଡି ନେତା ଓ କର୍ମୀ ଯୋଗଦାନ କରି ଏହାକୁ କିଭଳି ସଫଳ କରାଯିବ ସେ ନେଇ ନିଜ ନିଜ ମତ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ କହିଥିଲେ ସୁକିନ୍ଦା ଏବେ ଅଶାନ୍ତ, ଶାନ୍ତ ସୁକିନ୍ଦାରେ ଅଶାନ୍ତିର ମଞ୍ଜି ବୁଣା ଯାଇସାରିଛି । ସୁକିନ୍ଦା ପୁଣି ୮୦ ଦଶକର କଳା ଶାସନକୁ ଫେରି ଯାଇଛି । ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ସୁକିନ୍ଦା ମାଟିରେ ପୁଣି ଶାନ୍ତିର ବାତାବରଣ କୁ ଫେରାଇ ଆଣିବାକୁ ହେବ । ସୁକିନ୍ଦାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆସନ୍ତା ୬ ତାରିଖ କଳା ଦିବସରେ ସମସ୍ତ ଜନ ସାଧାରଣ, ବୁଦ୍ଧିଜୀବି, ଛାତ୍ରଛାତ୍ରୀ, ମହିଳା, ଶ୍ରମିକ ମାନେ ସାମିଲ ହେବାକୁ ସେ ନିବେଦନ କରିଛନ୍ତି ।
The post ଜୁନ ୬ ତାରିଖକୁ କଳା ଦିବସ ଭାବେ ପାଳିବ ସୁକିନ୍ଦା ବିଜେଡି appeared first on orissaleads.
News