କ୍ୱାଲିଫାୟର-୨, କର ବା ମର ସ୍ଥିତିରେ ପଞ୍ଜାବ ଓ ମୁମ୍ବାଇ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଇପିଏଲ-୨୦୨୫ ଫାଇନାଲରେ ପ୍ରଥମେ ପ୍ରବେଶ କରି ସାରିଛି ବେଙ୍ଗାଲୁର । ଦ୍ଵିତୀୟ ଦଳ ଭାବେ ଫାଇନାଲ କିଏ ଖଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କ୍ୱାଲିଫାୟର-୨ ଖେଳିବେ ମୁମ୍ବାଇ ଓ ପଞ୍ଜାବ । ଯାହାକୁ ନେଇ କର ବା ମର ସ୍ଥିତିରେ ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଯିଏ ଏହି ପ୍ରତିଯୋଗିତା ଜିତିବ ସେ ଫାଇନାଲରେ ପ୍ରବେଶ କରିବ । ଚଳିତ ଆଇପିଏଲ୍‌ର ଏଲିମିନେଟର୍-୨ ମୁକାବିଲା ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏଥିରେ ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ଉଭୟ ଦଳ ଏହି ମ୍ୟାଚ ଜିତିବାକୁ ଭରପୁର ଉଦ୍ୟମ କରିବେ । ତେବେ ପାଞ୍ଚଥର ବିଜେତା ମୁମ୍ବାଇ ଉପରେ ପ୍ରଥମ ଟ୍ରଫି ବିଜୟ ଆଶାରେ ଥିବା ପଞ୍ଜାବ କିଙ୍ଗସ ଭାରି ପଡ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଚଳିତ ସଂସ୍କରଣରେ ପଞ୍ଜାବ ଦମଦାର ଖେଳ ପ୍ରଦର୍ଶନ କରିଛି ।ଶୁକ୍ରବାର ମୁମ୍ବାଇ ଓ ଗୁଜରାଟ ମଧ୍ୟରେ ଏଲିମିନେଟର ମ୍ୟାଚ ଖେଳାଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫ ୱିକେଟ ହରାଇ ୨୨୮ ରନ୍ କରିଥିଲା । ହିଟ୍‌ମ୍ୟାନ୍ ରୋହିତ ଶର୍ମା ଚମତ୍କାର ଖେଳି ୫୦ବଲ୍‌ରେ ୮୧ରନ୍‌ ସଂଗ୍ରହ କରିଥିଲେ । ଯେଉଁଥିରେ ୯ ଚୌକା ଓ ୪ ଛକା ସାମିଲ ଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବେୟାରଷ୍ଟୋ ୪୭ , ସୂର୍ଯ୍ୟକୁମାର ୩୩, ତିଲକ ବର୍ମା ୨୫ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୨ ରନ୍‌ କରିଥିଲେ । ଗୁଜରାଟକୁ ୨୨୯ରନ୍‌ର ଟାର୍ଗେଟ ଦେଇଥିଲା ମୁମ୍ବାଇ ।୨୨୯ରନ୍‌ର ଟାର୍ଗେଟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଗୁଜରାଟ । ଚମତ୍କାର ଫର୍ମରେ ଥିବା ସାଇ ସୁଦର୍ଶନ ୪୯ ବଲ୍‌ରେ ଆକର୍ଷଣୀୟ ୮୧ ରନ୍‌ କରିଥିଲେ । ଅଧିନାୟକ ଶୁବମନ୍‌ ଗିଲ ୧ ରନ କରି ନିରାଶ କରିଥିଲେ । ମେଣ୍ଡିସ୍‌ ୨୦, ୱାଶିଂଟନ ସୁନ୍ଦର ୪୮, ରଦରଫୋର୍ଡ ୨୪ ରନ୍‌ କରିଥିଲେ ମଧ୍ୟ ଦଳ ପରାଜିତ ହୋଇଥିଲା । ୨୦ ଓଭରରେ ଦଳ ୬ ୱିକେଟ ହରାଇ ୨୦୮ ରନ୍ କରିବାକୁ ସକ୍ଷମ ହୋଇ ୨୦ରନ୍‌ରେ ପରାଜିତ ହୋଇଥିଲା । ଉଭୟ ଦଳର ସମର୍ଥକଙ୍କ ନଜର ଏହି ମ୍ୟାଚ ଉପରେ ରହିଛି ।

The post କ୍ୱାଲିଫାୟର-୨, କର ବା ମର ସ୍ଥିତିରେ ପଞ୍ଜାବ ଓ ମୁମ୍ବାଇ appeared first on orissaleads.

News