ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ଓଡ଼ିଶା ଲିଡ୍ସ(ବ୍ୟୁରୋ):ଆସନ୍ତା ସପ୍ତାହରେ ଆମେରିକାର ଏକ ପ୍ରତିନିଧି ଦଳ ଭାରତ ସହିତ ବାଣିଜ୍ୟ ବିଷୟରେ ଆଲୋଚନା ପାଇଁ ଆସୁଛନ୍ତି। ଆଲୋଚନା ପୂର୍ବରୁ ଭାରତକୁ ଚାପରେ ରଖିବା ଲାଗି ଆମେରିକା ରାଷ୍ଟ୍ରପତି ଚତୁର ଉଦ୍ୟମ କରିଛନ୍ତି। ପାକିସ୍ତାନ ସହ ଭାରତର ଦେଖାଦେଇଥିବା ଉତ୍ତେଜନାକୁ ଆୟୁଧ କରି ଟ୍ରମ୍ପ ଭାରତକୁ ଚାପରେ ରଖିବାକୁ ଚାହୁଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଭାରତ ସହିତ ବାଣିଜ୍ୟ ବୁଝାମଣା ପ୍ରାୟ ଚୂଡ଼ାନ୍ତ ହୋଇଯାଇଛି। ଅନ୍ୟପକ୍ଷରେ କହିଛନ୍ତି ପାକିସ୍ତାନର ଏକ ପ୍ରତିନିଧି ଦଳ ଆମ ସହ କଥା ହେବା ଲାଗି ଆସନ୍ତା ସପ୍ତାହରେ ଆମେରିକା ଆସୁଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ‌ଯେକୌଣସି ପ୍ରକାର ଉତ୍ତେଜନା ଏହି ଆଲୋଚନାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ଟ୍ରମ୍ପ କହିଛନ୍ତି । ଯଦି ଭାରତ ଓ ପାକିସ୍ତାନ ପରସ୍ପର ସହ ଯୁଦ୍ଧ କରିବେ ତେବେ ରାଜିନାମା କରିବା ଲାଗି ଆମେରିକାର କୌଣସି ଆଗ୍ରହ ନାହିଁ ବୋଲି ଟ୍ରମ୍ପ କହିଛନ୍ତି । ଯୁଦ୍ଧ ସମୟରେ ସେ କହିଥିବା କଥାକୁ ପୁଣି ଦୋହରାଇଛନ୍ତି ଟ୍ରମ୍ପ ।
ସେ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ଲାଗି ‌ସେ ମଧ୍ୟସ୍ଥତା କରିଥିଲେ।

ଭାରତ ଓ ପାକିସ୍ତାନ ସହିତ ବ୍ୟବସାୟ ନେଇ ଆଲୋଚନା ଚାଲିଛି। ବାଣିଜ୍ୟ ଜରିଆରେ ଆମେ ଏକ ସମ୍ଭାବ୍ୟ ପରମାଣୁ ଯୁଦ୍ଧକୁ ଅଟକାଇପାରିଥିଲୁ ବୋଲି ସେ ଦାବି କରୁଥିଲା ବେଳେ ଗତ ଏପ୍ରିଲ୍‌ ମାସ ୨ ତାରିଖରେ ଭାରତ ଉପ‌ରେ ଟ୍ରମ୍ପ ୨୬ ପ୍ରତିଶତ ପାଲଟା ଶୁଳ୍କ ଲଗାଇଥିଲେ। ଯାହାକୁ ଏପ୍ରିଲ୍ ୯ ତାରିଖରେ ୯୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଉକ୍ତ ସମୟ ସୀମା ଭିତରେ ଭାରତ ସହିତ ବିଭିନ୍ନ ଦେଶ ଆମେରିକା ସହ ବାଣିଜ୍ୟ ବୁଝାମଣା କରିବାକୁ ଉଦ୍ୟମ କରୁଛନ୍ତି । ଜୁନ୍ ସୁଦ୍ଧା ଆମେରିକା ସହ ଏକ ଅନ୍ତରୀଣ ରାଜିନାମା ସ୍ବାକ୍ଷର କରିବାକୁ ଭାରତ ଉଦ୍ୟମ କରୁଛି ବୋଲି ସୂଚନା ମିଳିଛି ।

The post ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ appeared first on orissaleads.

News