ଶେଷ ସେଲ୍ଫି, ଦେଶବାସୀଙ୍କୁ କରୁଛି ବିଚଳିତ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ମଣିଷ ଖୁସିର ମୁହୂର୍ତ୍ତକୁ ମନ ଭିତରେ ସାଇତି ରଖିବାକୁ ଫଟ ଟିଏ ଉଠାଇଥାଏ । ଆଜି କାଲି ମୋବାଇଲ ଯୁଗରେ ସେଲ୍ଫିର ବହୁଳ ବ୍ୟବହାର ହେଉଛି । ହେଲେ ଗୋଟିଏ ସେଲ୍ଫି ଫଟ ଆଜି ସାରା ଦେଶକୁ ବିଚଳିତ କରୁଛି । ଫଟୋ ଟିକୁ ଦେଖିଲେ ମନ ଭାରାକ୍ରାନ୍ତ ହୋଇ ଯାଉଛି । ଆଉ ଏହି ସେଲ୍ଫି ଫଟୋ ଟି ହେଉଛି ଡା. ପ୍ରତିକ ଯୋଶୀଙ୍କ ପରିବାରର । ବିମାନ ଦୁର୍ଘଟଣାରେ ଡା. ଯୋଶୀଙ୍କ ପରିବାର ସମ୍ପୁର୍ଣ୍ଣ ଭାବେ ଜଳି ଯାଇଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ସହିତ ତିନିଟି ଛୋଟ ପିଲାଙ୍କୁ ନିଆଁ କୋଳେଇ ନେଇଛି । ଡା. ଯୋଶୀ ଛଅ ବର୍ଷ ଧରି ଲଣ୍ଡନରେ ବସବାସ କରୁଥିଲେ । ଏହା ପରେ ପୁରା ପରିବାର ସେଠାରେ ସ୍ଥାୟୀ ଭାବେ ବସବାସ କରିବାକୁ ନିଷ୍ପତ୍ତି ନେଇଥିଲେ ।

ବିଭିନ୍ନ ପ୍ରସ୍ତୁତି ପରେ ଏହି ସ୍ବପ୍ନ ପୂରଣ ହେବାକୁ ଯାଉଥିଲା । କିଛିଦିନ ପୂର୍ବରୁ ତାଙ୍କର ଡାକ୍ତର ପତ୍ନୀ ଡା. କୋମି ବ୍ୟାସ ବି ତାଙ୍କର ଚାକିରିରୁ ଇସ୍ତଫା ଦେଇଥିଲେ । ସମସ୍ତଙ୍କ ଠାରୁ ବିଦାୟ ନେଇ ଲଣ୍ଡନ ଅଭିମୁଖେ ବାହାରିଥିଲା ପୁରା ପରିବାର । ମନ ଭିତରେ ଖୁସି ସହିତ ଅସୁମାରୀ ସ୍ୱପ୍ନ ଲହଡି ଭାଙ୍ଗୁଥିଲା ।

ଅନ୍ୟମାନଙ୍କ ପରି ଏହି ପରିବାର ଏୟାର ଇଣ୍ଡିଆ ଫ୍ଲାଇଟ୍ 171 ରେ ବସିଥିଲେ । ସେଠାରୁ ଏକ ସେଲ୍ଫି ନେଇ ଆତ୍ମୀୟଙ୍କୁ ପଠାଇଥିଲେ । ପରିବାର ଓ ଆତ୍ମୀୟ ସ୍ୱଜନ ବି ଖୁସି ହୋଇଥିଲେ ।

ହେଲେ ଆଉ ମାତ୍ର କିଛି ମୁହୂର୍ତ୍ତ ପରେ ସେହି ବିମାନର କେବଳ ଜଣକୁ ଛାଡି ଅନ୍ୟ ମାନେ ଯେ ମୃତ୍ୟୁ ପଥର ଯାତ୍ରୀ ସେମାନେ କେବେ ଭାବି ନଥିଲେ । ଘଟିଗଲା ଭୟଙ୍କର ବିମାନ ଦୁର୍ଘଟଣା, ସବୁ ସ୍ୱପ୍ନ ନିଆଁରେ ଜଳି ପୋଡି ପାଉଁଶ ହୋଇଗଲା । କିଛି ମୁହୂର୍ତ୍ତରେ ସବୁ ବଦଳିଗଲା । ମୃତ୍ୟୁର ନିଷ୍ଠୁରତା କାହାକୁ ଛାଡିଲା ନାହିଁ । ହସ ହସ ମୁହଁରେ ବସିଥିବା କଁଳ ପିଲାଙ୍କୁ ବି ନିଜକୁ କୋଳକୁ ନେଇ ଗଲା । ଦୁର୍ଘଟଣା ପରେ ଏହି ସେଲ୍ଫି ଫଟୋଟି ବେଶ ଭାଇରାଲ ହୋଇଛି । ଆଉ ଏହି ଫଟୋ ଓ ଫଟୋରେ ଥିବା ପରିବାର ପ୍ରତି ସମବେଦନା ଜଣାଉଛନ୍ତି ପୁରା ଦେଶବାସୀ

The post ଶେଷ ସେଲ୍ଫି, ଦେଶବାସୀଙ୍କୁ କରୁଛି ବିଚଳିତ appeared first on orissaleads.

News