ଖଣି ଅଞ୍ଚଳରେ ପୁଣି ଆତଙ୍କ ଖେଳାଇଲେ ବିଜେପି ସମର୍ଥକ, ଶ୍ରମିକ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା

ଓଡ଼ିଶା ଲିଡ୍ସ(ଯାଜପୁର): କିଛିଦିନର ନୀରବତା ପରେ ପୁଣି ସୁକିନ୍ଦା ଅଞ୍ଚଳରେ ବିଜେପି ସମର୍ଥକ ଆତଙ୍କ ଖେଳାଇଛନ୍ତି । ଏଥର ଖଣି ଅଞ୍ଚଳରେ ଆତଙ୍କ ଖେଳାଇ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଆଜି ମଧ୍ୟାହ୍ନରେ ସୁକିନ୍ଦା ଅଞ୍ଚଳ ଖଣି ମଜଦୁର ସଂଘରେ ପଶି ବ୍ୟାପକ ଭଙ୍ଗାରୁଜା କରି ଆତଙ୍କ ଖେଳାଇ ଦେଇଛନ୍ତି । ଗୁଣ୍ଡା ମାନେ କାର୍ଯ୍ୟାଳୟ ମୁଖ୍ୟ ଦ୍ୱାର ଭାଙ୍ଗିବା ସହିତ କବାଟ ଝରକା ମଧ୍ୟ ବାଡେଇ ଭାଙ୍ଗିଛନ୍ତି । ଏହା ସହିତ କାର୍ଯ୍ୟାଳୟ ଭିତରେ ଥିବା ଟେବୁଲ, ଚେୟାର, ଟିଭି ପ୍ରଭୃତିକୁ ମଧ୍ୟ ବାଡେଇ ଭାଙ୍ଗି ଦେଇଛନ୍ତି । ଏହାକୁ ନେଇ ଖଣି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି ।

ଗତ ଦୁଇଦିନ ତଳେ ସୁକିନ୍ଦା ଖଣି ଅଞ୍ଚଳରେ ଥିବା ୫ଟି ପଞ୍ଚାୟତରେ ପରିବହନ ପାଇଁ ଆସୁଥିବା ହଜାର ହଜାର ଟ୍ରକ ଚାଳକ ଓ ହେଲ୍ପରଙ୍କ ପାଇଁ କୌଣସି ଶୌଚାଳୟ ନଥିବାରୁ ଡ଼ମଶାଳ ନାଳ ଉପରେ ନିର୍ଭର କରୁଥିଲା ବେଳେ ଏହି ନାଳ ପାଣି ବ୍ୟବହାର କରି ଖଣି ଅଞ୍ଚଳବାସୀ ଝାଡା ବାନ୍ତି ରୋଗର ଶିକାର ହେଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ପ୍ରଶାସନ ବିହୀତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା । ଯଦି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରେ ପରିବହନ ବନ୍ଦ କରିବାକୁ ଚେତାବନୀ ଦିଆ ଯାଇଥିଲା । ଦ୍ଵିତୀୟ କାରଣ ହେଲା ବିଜେପି ସମର୍ଥିତ ଶ୍ରମିକ ସଙ୍ଗଠନରେ ଶ୍ରମିକ ମାନଙ୍କୁ ଯୋଗଦେବା ପାଇଁ ଚାପ ପକାଇବା ସହିତ ବଳ ପ୍ରୟୋଗ କରିବା ଓ ସାଧାରଣ ଲୋକ ଏବଂ ଶ୍ରମିକଙ୍କ ଉପରେ ଆକ୍ରମଣ କରିବା। ଏହାକୁ ବିରୋଧ କରି ଗତ ମଇ ମାସ ୨୨ ତାରିଖରେ ଖଣି ଅଞ୍ଚଳ ବନ୍ଦ ଡାକରା ଦିଆ ଯାଇଥିଲା ବେଳେ ତାହା ସମ୍ପୂର୍ଣ୍ଣ ସଫଳ ହୋଇଥିଲା ।

ଯାହା ବିଜେପିକୁ ବିଚଳିତ କରିଥିଲା । ଏବେ ବିଜେପି ଲୋକପ୍ରିୟତା ହରାଇବା ସହିତ ହତାଶ ହୋଇ ଶ୍ରମିକ ସଙ୍ଗଠନ କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ କରିଛନ୍ତି ଶ୍ରମିକ ନେତା ମାନେ । ଅପରପକ୍ଷେ ପୋଲିସ ତୁରନ୍ତ ଏହାର ତଦନ୍ତ କରି ଭଙ୍ଗାରୁଜାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଖଣି ଅଞ୍ଚଳ ଅଶାନ୍ତ ହୋଇ ପଡିଛି ।

The post ଖଣି ଅଞ୍ଚଳରେ ପୁଣି ଆତଙ୍କ ଖେଳାଇଲେ ବିଜେପି ସମର୍ଥକ, ଶ୍ରମିକ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା appeared first on orissaleads.

News