କେବଳ ଜିଲ୍ଲା ପୋଲିସ ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ବି ନିନ୍ଦିତ କରୁଛି କାଳିଆପାଣି ଥାନା ଅଧିକାରୀଙ୍କ ବିବାଦୀୟ କାର୍ଯ୍ୟ ଧାରା, ଅକଳରେ ଯାଜପୁର ଏସ୍ପି

ଓଡ଼ିଶା ଲିଡ୍ସ(ଯାଜପୁର): ବିବାଦରେ ଛନ୍ଦି ହୋଇ ପଡିଛନ୍ତି କାଳିଆପାଣି ଥାନା ଅଧିକାରୀ । ତାଙ୍କ ଆଚରଣ ଓ ଉଚ୍ଚାରଣ କେବଳ ଜିଲ୍ଲା ପୋଲିସ ନୁହେଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବି ନିନ୍ଦିତ କରୁଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀ କାଳିଆପାଣି ଥାନା ଅଞ୍ଚଳରେ ବହୁ ସଂଖ୍ୟାରେ ଆଦିବାସୀ ପରିବାର ରହୁଛନ୍ତି । ଏହି ଥାନା ଅଧୀନରେ ଥିବା ବହୁ ଅଞ୍ଚଳର ଜନ ପ୍ରତିନିଧି ମଧ୍ୟ ଆଦିବାସୀ ଓ ମହାନ୍ତ ସମ୍ପ୍ରଦାୟର । ଥାନା ଅଧିକାରୀ ସେମାନଙ୍କ ପ୍ରତି ଅତି କଦର୍ଯ୍ୟ ଓ ଅଶାଳୀନ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଦୀର୍ଘ ଦିନ ହେଲା ହେଉଥିଲା ବେଳେ ଥାନା ଅଧିକାରୀ ଶାସକ ଦଳ ଇଙ୍ଗିତରେ କାର୍ଯ୍ୟ କରୁଥିବା ଓ ଵିରୋଧି ଦଳର ସମର୍ଥକଙ୍କୁ ନ୍ୟାୟ ପ୍ରଦାନରେ ପାତର ଅନ୍ତର କରୁଥିବା ଅଭିଯୋଗ ମଧ୍ୟ ହେଉଛି । ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପରେ ମଧ୍ୟ କଳିଙ୍ଗନଗର ଅତିରିକ୍ତ ଏସ୍ପି କିମ୍ବା ଜିଲ୍ଲା ଏସ୍ପି ଏ ନେଇ କୌଣସି ପଦକ୍ଷେପ ନେବା ବଦଳରେ ଚୁପ ବସିଛନ୍ତି । ଅନ୍ୟ ପକ୍ଷରେ ଥାନା ଅଧିକାରୀଙ୍କ ଏତାଦୃଶ କାର୍ଯ୍ୟ ଧାରା କେବଳ ଯାଜପୁର ଜିଲ୍ଲା ପୋଲିସ ନୁହେଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ନିନ୍ଦିତ କରୁଛି । ବିଗତ ଦିନରେ ଖଣି ଅଞ୍ଚଳରେ ବିଭିନ୍ନ ଗରୁତ୍ବପୂର୍ଣ୍ଣ ଓ ସ୍ପର୍ଶକାତର ଘଟଣା ଘଟିଥିଲା ବେଳେ ପୋଲିସ ନିକଟରେ ଏ ନେଇ ଅଭିଯୋଗ ହୋଇଛି । ହେଲେ ଅପରାଧୀଙ୍କୁ ଗିରଫ କରିବା ବଦଳରେ ଖୋଲା ଛାଡିଛନ୍ତି ଥାନା ଅଧିକାରୀ । ଯାହା ଅପରାଧୀଙ୍କୁ ଅପରାଧିକ କାର୍ଯ୍ୟ କରିବାକୁ ଅଧିକ ବଳ ଦେଉଛି । ଜଣେ ଜିଲ୍ଳା ପରିଷଦ ସଦସ୍ୟା ମହିଳା ମାନଙ୍କ ସହିତ ଥାନାକୁ ଦାବି ନେଇ ଗଲା ବେଳେ ଏହି ମହିଳା ଜନ ପ୍ରତିନିଧିଙ୍କୁ ବସିବା ପାଇଁ କହିବାର ସୌଜନ୍ୟ ଦେଖାଇ ନାହାନ୍ତି ଥାନା ଅଧିକାରୀ । ଜଣେ ଶ୍ରମିକ ସଙ୍ଗଠନ କର୍ମକାର୍ତ୍ତାଙ୍କୁ ମଧ୍ୟ ଅଶାଳୀନ ବ୍ୟବହାର ଦେଖାଇଛନ୍ତି ।

ତାଙ୍କ ବିରୁଦ୍ଧରେ ଅଭିଯୋଗର ତାଲିକା ଦିନକୁ ଦିନ ଲମ୍ବୁଥିଲା ବେଳେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଦୁଇଦିନ ତଳେ ଏ ନେଇ ଫୋନ ଯୋଗେ ଜିଲ୍ଲା ଏସ୍ପିଙ୍କ ସହିତ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଇଂ ଘଡାଇ । ଆଜି କଳିଙ୍ଗନଗର ଅତିରିକ୍ତ ଏସ୍ପିଙ୍କ କାର୍ଯ୍ୟାଳୟକୁ ଯାଇ ଏ ବିଷୟରେ ଆଲୋଚନା କରିବା ବେଳେ ସାଧାରଣ ଲୋକଙ୍କୁ ଅପମାନିତ କରିବା, ଧମକ ଦେବା, ନାଲି ଆଖି ଦେଖାଇବା, ମହିଳା ମାନଙ୍କୁ ଅସମ୍ମାନୀତ କରିବାକୁ ତାଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଥିଲେ । ଆଦିବାସୀଙ୍କ ଉପରେ ତାଙ୍କ ହାକିମାତିକୁ ବରଦାସ୍ତ କରାଯିବ ନାହିଁ ବୋଲି କହିବା ସହିତ ଅପମାନିତ କରିଥିବା ବ୍ୟକ୍ତିଙ୍କୁ ସର୍ବ ସାଧାରଣରେ କାଳିଆପାଣି ଥାନା ଅଧିକାରୀ କ୍ଷମା ମାଗନ୍ତୁ ବୋଲି ଚେତାବନୀ ଦେଇଥିଲେ । ଆଉ ଏହା ନ କଲେ ସମ୍ପୂର୍ଣ୍ଣ ଖଣି ଅଞ୍ଚଳକୁ ବନ୍ଦ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇ ୨୪ ଘଣ୍ଟା ସମୟ ଦେଇଛନ୍ତି ।

ଏବେ ଜିଲ୍ଲା ପୋଲିସ ସାଧାରଣ ଲୋକଙ୍କ ଉପରେ ଦବଙ୍ଗଗିରୀ ଦେଖାଉଥିବା ଥାନା ଅଧିକାରୀଙ୍କୁ ନେଇ ଚିନ୍ତାରେ ପଡିଛି । କାରଣ ଯଦି କାର୍ଯ୍ୟାନୁଷ୍ଠାନ ନ ନେଇ ଜିଲ୍ଲା ଏସ୍ପି ଚୁପ ବସିବେ ପୂର୍ବତନ ମନ୍ତ୍ରୀ ଯେଉଁ ଚେତାବନୀ ଦେଇଛନ୍ତି ତାହା କରି ଦେଖାଇବାରେ ଅବହେଳା କରିବେ ନାହିଁ । ଥାନା ଅଧିକାରୀଙ୍କ ବିରୁଦ୍ଧରେ ଜନ ମତ ପ୍ରବଳ ଥିଲା ବେଳେ ଇଂ ପ୍ରୀତିରଞ୍ଜନଙ୍କ ଡ଼ାକରାରେ ଲୋକ ରାସ୍ତାକୁ ଓହ୍ଲାଇ ବିରୋଧ କରିବା ନିଶ୍ଚିତ । ଯାହା ବିଜେପି, ମୁଖ୍ୟମନ୍ତ୍ରୀ ଓ ପୋଲିସ ବିଭାଗ ବିରୁଦ୍ଧରେ ହିଁ ଯିବ । ଜଣେ ଥାନା ଅଧିକାରୀଙ୍କୁ ସୁରକ୍ଷା ଦେବା ଜିଲ୍ଲା ପୋଲିସକୁ ନିନ୍ଦିତ କରିବ ।

The post କେବଳ ଜିଲ୍ଲା ପୋଲିସ ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ବି ନିନ୍ଦିତ କରୁଛି କାଳିଆପାଣି ଥାନା ଅଧିକାରୀଙ୍କ ବିବାଦୀୟ କାର୍ଯ୍ୟ ଧାରା, ଅକଳରେ ଯାଜପୁର ଏସ୍ପି appeared first on orissaleads.

News