ଛୁଟିରେ ଗଲେ ସାରା ରାଜ୍ୟର ଓଏଏସ ଓ ଓଆରଏସ ଅଧିକାରୀ, ପ୍ରଶାସନିକ ଅଚଳାବସ୍ଥା

ଭୁବନେଶ୍ବର: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରେ ଘୋଷାଡି ଘୋଷାଡି ଆକ୍ରମଣ ଘଟଣାର ପ୍ରତିବାଦରେ ଗତକାଲି ସୁଦ୍ଧା ରାଜ୍ୟର ୧୬ ଟି ଜିଲ୍ଲାର ଓଏଏସ ସଂଘ ଛୁଟିରେ ଯାଇଥିଲେ। ହେଲେ ଆଜିଠୁ ସାରା ରାଜ୍ୟର ଓଏଏସ ଅଫିସର ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯାଇଥିବା ନେଇ ରାଜ୍ୟ ସରକାରଙ୍କୁ ଲିଖିତ ଜଣାଇ ଦେଇଛନ୍ତି। ୩ ଦଫା ଦାବି ନେଇ ସଂଘ ଏଭଳି ଚରମ ପଦକ୍ଷେପ ନେଇଛି। ଫଳରେ ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆରମ୍ଭ ହୋଇଛି।

ଦୁଇଦିନ ତଳେ ୩୦ ତାରିଖରେ ଭୁବନେଶ୍ବର ବିଏମସି ଅଫିସ ପରିସରରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ବିଜେପି କର୍ପୋରେଟରଙ୍କ ସମେତ ୧୦ରୁ ଉର୍ଦ୍ଧ୍ବ ବିଜେପିର ଗୁଣ୍ଡା ମରଣାନ୍ତକ ଆକ୍ରମଣ କରିଥିଲେ। ଘୋଷାଡି ଘୋଷାଡି ମାଡ ମାରିବା ସହିତ ଲାତ ଗୋଇଠା ମାରିଥିଲେ। ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ବୋଲି ନିଜକୁ ପରିଚୟ ଦେଇ ସେହି ଗୁଣ୍ଡାମାନେ ଆକ୍ରମଣ କରିଥିବା ଭିଡିଓ ଭାଇରାଲ ହୋଇଥିଲା। ତେବେ, ଏହି ଘଟଣାରେ ପୁଲିସ କେବଳ ୩ ଜଣଙ୍କୁ ଗିରଫ କରି ଦାୟିତ୍ବ ସାରି ଦେଇଛି। ସେପଟେ ଅନ୍ୟ ଆକ୍ରମଣକାରୀ ଓ ମୁଖ୍ଯ ଷଡଯନ୍ତ୍ରକାରୀ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ପାଇଁ ଆଦୌ ଆନ୍ତରିକତା ଦେଖାଇନି। ଏହାର ପ୍ରତିବାଦରେ ରାଜ୍ୟ ଓଏଏସ ସଂଘ ସମୂହ ଛୁଟିରେ ଯିବାକୁ ଘୋଷଣା କରିଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା ପରେ ସଂଘ ନିଷ୍ପତ୍ତିରୁ ଓହରିଥିବା ନେଇ ଗତକାଲି ସକାଳେ ଜଣାଇଥିଲା। ଏପଟେ ଗୋଟିଏ ପରେ ଗୋଟିଏ ଜିଲ୍ଲାର ଓଏଏସ ସଂଘ ବୈଠକ କରି ସମୂହ ଛୁଟିରେ ଯିବାକୁ ଘୋଷଣା କରିଥିଲେ। ସନ୍ଧ୍ୟା ସୁଦ୍ଧା ୧୬ ଜିଲ୍ଲାର ସଂଘ ଛୁଟିରେ ଯାଇଥିବା ଘୋଷଣା କରିଥିଲେ। କିନ୍ତୁ ଆଜି ସକାଳୁ ସମଗ୍ର ଓଡ଼ିଶାର ଓଏଏସ ସଂଘ ଛୁଟିରେ ଯାଇଥିବା ଜଣାଇଛନ୍ତି।

ସମସ୍ତ ଆକ୍ରମଣକାରୀ ଓ ଷଡଯନ୍ତ୍ରକାରୀଙ୍କୁ ତୁରନ୍ତ ଗିରଫ କରି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ କାର୍ଯ୍ୟସ୍ଥଳରେ ଅଫିସର ମାନଙ୍କ ସୁରକ୍ଷା ଏବଂ ସମ୍ମାନ ଯେପରି ଅକ୍ଷୁର୍ଣ୍ଣ ରୁହେ ସେଥିପ୍ରତି ପଦକ୍ଷେପ ନେବାକୁ ସଂଘ ଦାବି ରଖିଛି। ସେପଟେ ଓଏଏସ ସଂଘ ସହିତ ଓଆରଏସ୍ ରୁ ଆରମ୍ଭ କରି ଅନ୍ୟ କ୍ୟାଡର ମାନେ ବି ସାମିଲ ହୋଇଛନ୍ତି।

ଫଳରେ ସମଗ୍ର ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆରମ୍ଭ ହେଲାଣି। ସାଧାରଣ ସେବା ବି ଗୁରୁତର ଭାବେ ବ୍ୟାହତ ହେବା ନିଶ୍ଚିତ ହେଲାଣି। ତଥାପି ସରକାର ସାଢେ ଚାରିକୋଟି ଲୋକଙ୍କ ସ୍ବାର୍ଥ ଅପେକ୍ଷା ଦଳୀୟ ନେତାଙ୍କ ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଉଥିବା ଅଭିଯୋଗ ହେଲାଣି। ରାଜଧାନୀର ଛାତିରେ ବିଏମସି ଅଫିସ ପରିସରରେ ଯଦି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଘୋଷାଡି ଘୋଷାଡି ଆକ୍ରମଣ ହେଉଛି, ତାହେଲେ ସାଧାରଣ ଲୋକ କିଭଳି ସୁରକ୍ଷିତ ରହିବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

The post ଛୁଟିରେ ଗଲେ ସାରା ରାଜ୍ୟର ଓଏଏସ ଓ ଓଆରଏସ ଅଧିକାରୀ, ପ୍ରଶାସନିକ ଅଚଳାବସ୍ଥା appeared first on News Room Odisha.

News