ସୌମ୍ୟାଶ୍ରୀ ନିଜେ ପେଟ୍ରୋଲ ଆଣିଥିଲେ ନା ଆଉ କିଏ ଆଣି ଦେଇଥିଲା, ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ
ଓଡ଼ିଶା ଲିଡ୍ସ (ବ୍ୟୁରୋ): ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ବ୍ୟାପକ ଖୋଳତାଡ଼ କରୁଛି । ମୃତା ସୌମ୍ୟାଶ୍ରୀ ନିଜେ ପେଟ୍ରୋଲ ଆଣିଥିଲେ ନା ଆଉ କିଏ ପେଟ୍ରୋଲ ଆଣି ତାଙ୍କୁ ଦେଇଥିଲେ ସେ ଦିଗରେ କ୍ରାଇମବ୍ରାଞ୍ଚ ଅଧିକ ଖୋଳତାଡ଼ କରୁଥିବା ସୂଚନା ମିଳିଛି। କଲେଜ ନିକଟରେ ଥିବା ପେଟ୍ରୋଲ ପମ୍ପରେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରିଛି ।
ପେଟ୍ରୋଲ ପମ୍ପର ସିସିଟିଭି ହାର୍ଡଡିସ୍କକୁ ଜବତ କରିବା ସହ ପେଟ୍ରୋଲ ପମ୍ପର ମ୍ୟାନେଜର ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ। ଗତକାଲି ମଧ୍ୟ କଲେଜ ପରିସରକୁ ଯାଇ କ୍ରାଇମବ୍ରାଞ୍ଚ୍ ଟିମ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛି। କ୍ରାଇମବ୍ରାଞ୍ଚ ଆଇଜି ଏସ୍.ସାଇନି ଓ ଅନ୍ୟ ତଦନ୍ତକାରୀ ଅଧିକାରୀ କଲେଜରେ ପହଞ୍ଚି ତଦନ୍ତ କରିଛନ୍ତି। କଲେଜ ପିଲାଙ୍କ ସହ କର୍ତ୍ତୃପକ୍ଷଙ୍କୁ ଘଟଣା ଦିନ ବିଷୟରେ ଗୁଡେଇ ତୁଡେଇ ପଚରାଉଚରା କରିଛନ୍ତି ।
ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ କଟକ ବଡ଼ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ପହଞ୍ଚି ପ୍ରତ୍ୟକ୍ଷଦର୍ଶୀ ଥିବା ଓ ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରି ଆହତ ହୋଇଥିବା ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କୁ ଭେଟି ତାଙ୍କ ଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ଜ୍ୟୋତି ପ୍ରକାଶଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଛି କ୍ରାଇମବ୍ରାଞ୍ଚ ଟିମ ।
The post ସୌମ୍ୟାଶ୍ରୀ ନିଜେ ପେଟ୍ରୋଲ ଆଣିଥିଲେ ନା ଆଉ କିଏ ଆଣି ଦେଇଥିଲା, ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ appeared first on orissaleads.
News