ରୁଷ ଦ୍ୱାରା ବିଜୁ ବାବୁ ସମ୍ମାନିତ ହେବା ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ-ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ

ଓଡ଼ିଶା ଲିଡ୍ସ(ବ୍ୟୁରୋ):ଦ୍ଵିତୀୟ ବିଶ୍ଵଯୁଦ୍ଧରେ ନାଜି ସେନା ଉପରେ ତତ୍କାଳୀନ ସୋଭିଏତ ୟୁନିୟନ(ରୁଷ) ବିଜୟର ୮୦ ତମ ବାର୍ଷିକୋତ୍ସବ ପାଳନ ଅବସରରେ ନୂଆଦିଲ୍ଲୀସ୍ଥ ରୁଷ ଦୂତାବାସରେ ଆୟୋଜିତ ହେଉଥିବା ବିଜୟ ଉତ୍ସବରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରିବା ପାଇଁ ରୁଷ ରଷ୍ଟ୍ରଦୂତଙ୍କ ପକ୍ଷରୁ ତାଙ୍କ ସୁପୁତ୍ର ତଥା ରାଜ୍ୟ ବିରୋଧୀଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯିବା ପ୍ରତ୍ୟେକଟି ଭାରତୀୟ ବିଷେଶ କରି ଓଡିଆ ମାନଙ୍କ ପାଇଁ ଗୌରବର ବିଷୟ । ସୋଭିଏତ ୟୁନିୟନ ଯେତେବେଳେ ନାଜି ସେନା ବିରୋଧରେ ଯୁଦ୍ଧ ଲଢ଼ୁଥିଲା ସେତେବେଳେ ବିଜୁ ବାବୁ ନିଜ ଜୀବନକୁ ବାଜି ଲଗାଇ ରୟାଲ ଇଣ୍ଡିଆନ ଏୟାର ଫୋର୍ସର ପାଇଲଟ ଭାବେ ସୋଭିଏତ ରୁଷକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଠାରୁ ଆରମ୍ଭ କରି ସବୁ ପ୍ରକାର ସହାୟତା କରିଥିଲେ । ଭାରତର ସ୍ଵାଧୀନତା ସଂଗ୍ରାମରେ ତାଙ୍କର ଅବଦାନକୁ କେହି ଅସ୍ଵୀକାର କରିପାରିବେ ନାହିଁ । ଇଣ୍ଡୋନେସିଆର ସ୍ଵାଧୀନତା ସଂଗ୍ରାମ ଠାରୁ ଆରମ୍ଭକରି ଭାରତରେ ୧୯୪୭ରେ କାମୁକାଶ୍ମୀର ଠାରେ ପାକିସ୍ଥାନ ସହିତ, ୧୯୬୨ରେ ଚାଇନା ସହିତ ଏବଂ ୧୯୬୫ରେ ଭାରତ-ପାକ ଯୁଦ୍ଧ ସମୟରେ ତାଙ୍କର ଅନବଦ୍ୟ ଅବଦାନ ତାଙ୍କୁ ଚିର ସ୍ମରଣୀୟ କରିପାରିଛି । ଅତୀତରେ ବିଜୁ ବାବୁ ଇଣ୍ଡୋନେସିଆ ସରକାରଙ୍କ ଠାରୁ ତାଙ୍କ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଏବଂ ଜାତୀୟ ପୁରଷ୍କାର ଭୂମିପୁତ୍ର ଓ ବିନତଙ୍ଗ ଯଶ ଉତ୍ତମ ଏବଂ ୧୯୯୫ ମସିହାରେ ରୁଷ ଠାରୁ ଜୁବୁଲି ମେଡାଲ ପାଇବା ଆମର ସମ୍ମାନ ଓ ଯଶକୁ ବଢାଇ ପାରିଛି । ଦେଶ ବିଦେଶରେ ଅଦମ୍ୟ ସାହସିକତା ଏବଂ ଅସୀମ ବୀରତ୍ଵର ଅନେକ ଗାଥା ରଚିଯାଇଥିବା ସେହି ଝଡର ଇଗଲ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକ ଥିଲେ ଓଡିଶା ମାଟିର ଜଣେ ନରପୁଂଗବ ଏବଂ ଓଡିଆ ଅସ୍ମୀତାର ଜ୍ଵଳନ୍ତ ପ୍ରତିକ। ସେ ଦେଶ ତଥା ରାଜ୍ୟ ପାଇଁ ଅନେକ ଅନନ୍ୟ ଅବଦାନ ଛାଡି ଯାଇଛନ୍ତି ଏବଂ ଦେଶ ବିଦେଶରୁ ଯଶ, କୀର୍ତି ଓ ସମ୍ମାନ ଲାଭ କରି ଏ ରାଜ୍ୟ ତଥା ଦେଶକୁ ଗୌରବାନ୍ବିତ କରିଯାଇଛନ୍ତି

ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ରୁଷ ଦୂତାବାସ ପକ୍ଷରୁ ମେ ୭ ତାରିଖ ଦିନ ଏକ ସ୍ବତନ୍ତ୍ର ଫଳକ ଉନ୍ମୋଚନ ଏବଂ ୯ ତାରିଖ ଦିନ ସମ୍ମାନ ପ୍ରଦାନ ଆମ ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ ଏବଂ ଏହାଫଳରେ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଓଡିଶାର ସମ୍ମାନ ବୃଦ୍ଧି ହୋଇଛି ।

The post ରୁଷ ଦ୍ୱାରା ବିଜୁ ବାବୁ ସମ୍ମାନିତ ହେବା ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ-ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ appeared first on orissaleads.

News